ଝାରସୁଗୁଡ଼ା,ଏନ୍ଏନ୍ଏସ୍: କୋଭିଡ ଯୋଦ୍ଧାଙ୍କୁ ସରକାର ସମ୍ମାନିତ କରିବାସହ ସେମାନଙ୍କୁ ସମ୍ମାନ ଦେବା ପାଇଁ ଜନସାଧାରଣଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି। ହେଲେ କେତେକ ସ୍ଥାନରେ କୋଭିଡ ଯୋଦ୍ଧାମାନେ ମୃତ୍ୟୁ ପରେ ମଧ୍ୟ ଅସମ୍ମାନିତ ହେଉଛନ୍ତି। ମୃତ୍ୟୁ ପରେ ଦୀର୍ଘ ୧୨ ଘଣ୍ଟା ଧରି ତାଙ୍କ ଶବ ପଡି ରହୁଛି ହେଲେ ସତ୍କାର ହୋଇପାରୁ ନାହିଁ। ଏହିପରି ଦୃଶ୍ୟ ଦେଖିବାକୁ ମିଳିଛି ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ। ଏଠାରେ ଜଣେ ମୃତ କୋଭିଡ ଯୋଦ୍ଧାଙ୍କ ମରଶରୀର ସକାଳ ୭ଟାରୁ ପଡି ରହିଥିଲେ ସୁଦ୍ଧା ତାଙ୍କର ସତ୍କାର ବ୍ୟବସ୍ଥା କରାଯାଇ ନାହିଁ।
ମୃତକ ଜଣଙ୍କ ଝାରସୁଗୁଡ଼ା ହସ୍ପିଟାଲରେ ଆଟେଣ୍ଡାଣ୍ଟ ଭାବରେ କାର୍ଯ୍ୟରତ ଶରତ ଚନ୍ଦ୍ର ପୋଢ଼ ବୋଲି ଜଣାପଡିଛି। ସେ କରୋନା ସଂକ୍ରମିତ ହୋଇ ଗୃହ ସଂଗରୋଧରେ ଥିଲେ। ଶନିବାର ରାତିରେ ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ରବିବାର ସକାଳ ୭ଟାରେ ତାଙ୍କର ମୃତ୍ୟୁ ହୋଇଥିବାବେଳ ରାତି ୭ଟା ପର୍ଯ୍ୟନ୍ତ ତାଙ୍କର ଶବ ସତ୍କାର ପାଇଁ ବ୍ୟବସ୍ଥା କରାଯାଇନଥିଲା। ତେବେ ଏହାର ପ୍ରତିବାଦରେ ଶରତଙ୍କ ସମ୍ପର୍କୀୟ ଓ ଚିକିତ୍ସାଳୟରେ କାର୍ଯ୍ୟରତ ସୁଇପର ତଥା ଆଟେଣ୍ଡାଣ୍ଟ ଓ ଅନ୍ୟ ଷ୍ଟାଫମାନେ ଶୀଘ୍ର କୋଭିଡ ଯୋଦ୍ଧାଙ୍କ ସମ୍ମାନରେ ଶବ ସତ୍କାର କରାଯାଉ ବୋଲି ଦାବି କରିଥିଲେ।
ଅନ୍ୟପଟେ ଏନେଇ ହସ୍ପିଟାଲ ଦାୟିତ୍ୱରେ ଥିବା ଡାକ୍ତର ଏଚ.କେ. ଶତପଥୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେହେତୁ ଶରତ ଜଣେ କୋଭିଡ ଯୋଦ୍ଧା ଓ କରୋନାରେ ଆକ୍ରାନ୍ତରେ ପ୍ରାଣ ହରାଇଛନ୍ତି, ତେଣୁ ଜିଲ୍ଲା ପ୍ରଶାସନ ଅଧିକାରୀ, ତହସିଲଦାର, ପୁଲିସ ପ୍ରଶାସନ ଉପସ୍ଥିତିରେ ସସମ୍ମାନେ ତାଙ୍କର ଶବ ସତ୍କାର କରାଯିବ। ଏହାର ବାବସ୍ଥା କରୁକରୁ ଶବ ସତ୍କାରରେ ଡେରି ହୋଇଥିବା ଡ. ଶତପଥୀ କହିଛନ୍ତି।