ପର୍ଯ୍ୟଟନ ଦିବସ ଅବସରରେ ‘ଓଡ଼ିଶା ସଡ଼କ ପଥରେ’ ଶୁଭାରମ୍ଭ, ଏଥର ବାଇକରେ ମିଳିବ ପର୍ଯ୍ୟଟନ ସେବା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ୱାରା ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ସୁପର ବାଇକ ରାଲି ‘ଓଡ଼ିଶା ସଡ଼କ ପଥରେ’ ବା ‘ଓଡ଼ିଶା ବାଏ ରୋଡ୍’ ଆୟୋଜନ କରାଯାଇଥିଲା। ଏହାକୁ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏଭଳି ଏକ ଅଭିନବ ପର୍ଯ୍ୟଟନ ଅଭିଯାନ କଳିଙ୍ଗ ମୋଟର ବାଇକ୍ ଚାଳକ ଓ ସୁପର ବାଇକ୍ ରାଲି ମାଧ୍ୟମରେ ଆରମ୍ଭ କରାଯାଇଛି ଯାହାଦ୍ୱାରା ଓଡ଼ିଶାର ରୋଡ୍ ନେଟୱାର୍କର ସଦୁପଯୋଗ କରି ପର୍ଯ୍ୟଟକମାନେ ବିଭିନ୍ନ ପ୍ରାକୃତିକ ତଥା ପର୍ଯ୍ୟଟନସ୍ଥଳୀର ଉପଭୋଗ କରିପାରିବେ। ଏଥି ନିମନ୍ତେ ଓଡ଼ିଶା ପର୍ଯ୍ୟଟନ ନିଗମ ଦ୍ୱାରା ପରିଚାଳିତ ହୋଟେଲ୍ ତଥା ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀଗୁଡ଼ିକ ଭ୍ରମଣ କରିବା ପାଇଁ ବ୍ୟବସ୍ଥା କରାଯାଇଛି।

ଏହା ଦ୍ୱାରା ଓଡ଼ିଶା ପର୍ଯ୍ୟଟନ ନିଗମ ‘ବଣଭୋଜି’ ନାମରେ ଏକ ପର୍ଯ୍ୟଟନ ପ୍ୟାକେଜ୍ ପର୍ଯ୍ୟଟକମାନଙ୍କ ଭ୍ରମଣର ସୁବ୍ୟବସ୍ଥା ନିମନ୍ତେ ଆରମ୍ଭ କରିଛନ୍ତି। ଏହି ଅବସରରେ ଓଡ଼ିଶାର ବ୍ୟଞ୍ଜନ ତଥା ଆଦୃତ ହୋଇଥିବା ଖାଦ୍ୟର ପ୍ରଚାରପ୍ରସାର ନିମନ୍ତେ ‘ନିମନ୍ତ୍ରଣ’ ନାମରେ ରେଷ୍ଟୁରାଣ୍ଟର ଆରମ୍ଭ କରାଯାଇଛି। ଓଡ଼ିଶା ପର୍ଯ୍ୟଟନ ନିଗମର ଏହି ପ୍ରୟାସ ଦ୍ୱାରା ପର୍ଯ୍ୟଟନର ପ୍ରସାର ସହ ଓଡ଼ିଆ ଖାଦ୍ୟର ବିଭିନ୍ନତା ଓ ରୁଚି ପର୍ଯ୍ୟଟକମାନଙ୍କ ନିକଟରେ ପହଞ୍ଚିପାରିବ। ବର୍ତ୍ତମାନ ‘ନିମନ୍ତ୍ରଣ’ ରେଷ୍ଟୁରାଣ୍ଟ ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର, ପୁରୀ ଓ ସମ୍ବଲପୁରରେ ଆରମ୍ଭ ହେବାକୁ ଯାଇଥିବା ସମୟରେ, ପର୍ଯ୍ୟାୟ କ୍ରମେ ଏହା ବିଭିନ୍ନ ପର୍ଯ୍ୟଟନ ସ୍ଥଳୀଗୁଡ଼ିକରେ ଖୋଲିବା ନିମନ୍ତେ ପ୍ରୟାସ କରାଯାଉଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ୩ଟି ‘ଫୁଡ଼ ଅନ୍ ହ୍ୱିଲ’ ମୋବାଇଲ ଭ୍ୟାନର ଶୁଭାରମ୍ଭ କରାଯାଇଛି, ଯାହା ଭୁବନେଶ୍ୱର ଏବଂ ପୁରୀରେ ଓଟିଡ଼ିସି ଦ୍ୱାରା ପ୍ରସ୍ତୁତ ଖାଦ୍ୟ ଗ୍ରାହକଙ୍କ ପାଖରେ ପହଞ୍ଚାଇବ।

ଆଜିର ଉଦଘାଟନୀ ରାଲିରେ ୯ଟି ସୁପର ବାଇକ୍ ଗ୍ରୁପର ୮୦ ଜଣ ସଦସ୍ୟ ଇନଫୋସିଟି ପରିସରରୁ ବାହାରି ଧଉଳି ଶାନ୍ତିସ୍ତୂପଠାରେ ପହଞ୍ଚିଥିଲେ। ବିଶ୍ୱ ପର୍ଯ୍ୟଟନ ଦିବସର ବାର୍ତ୍ତା ନେଇ ବାହାରିଥିବା ଏହି ରାଲିକୁ ଧଉଳି ଶାନ୍ତିସ୍ତୂପଠାରେ ଭବ୍ୟ ସ୍ୱାଗତ କରାଯାଇଥିଲା।