ଯୁବତୀଙ୍କ ଖଣ୍ଡ ବିଖଣ୍ଡିତ ମୃତ ଶରୀର ଉଦ୍ଧାର

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅନ୍ତର୍ଗତ ଗୋନା ଗ୍ରାମ ମୁରମଡ଼ିହି ଜଙ୍ଗଲରେ ଜଣେ ଯୁବତୀଙ୍କ ଖଣ୍ଡ ବିଖଣ୍ଡିତ ମୃତ ଶରୀର ଉଦ୍ଧାର କରାଯାଇଛି । ମୃତକ ଜଣକ ହେଲେ ବାଗବେଢ଼ା ଗ୍ରାମର ତିଲାବତୀ ଗଣ୍ଡ । ପାଖରେ ଥିବା ଗଛ ଓ ଜମିରେ ରକ୍ତ ଛିଟା ଥିବା ଯୋଗୁ ଏହା ଏକ ହତ୍ୟାକାଣ୍ଡ ବୋଲି ଅନୁମାନ କରାଯାଉଛି । ରାଇଘର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଛନ୍ତି । ଅନ୍ୟପଟେ ସାଇଣ୍ଟିଫିକ ଟିମ୍ ପହଞ୍ଚି ଶବକୁ ଖୋଳି ବାହାର କରି ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛନ୍ତି । ତିଲାଙ୍କ ମୃତ ଶରୀରକୁ ୩୧ ଖଣ୍ଡ କରି ପୋତି ଦିଆଯାଇଥିଲା । ଉକ୍ତ ଘଟଣାରେ ମୁରୁମଡ଼ିହି ଗ୍ରାମର ଚନ୍ଦ୍ର ରାଉତ ଓ ତାଙ୍କ ସ୍ତ୍ରୀଙ୍କୁ ରାଇଘର ପୁଲିସ ସନ୍ଦେହରେ ଅଟକ ରଖିଛି ।

ଚନ୍ଦ୍ର ରାଉତ ଓ ତିଲାବତୀ ଗଣ୍ଡଙ୍କ ମଧ୍ୟରେ ପୂର୍ବରୁ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ସେଥିପାଇଁ ଚନ୍ଦ୍ରଙ୍କ ଘରେ ଅଶାନ୍ତି ଲାଗି ରହିଥିଲା । ଏହି ଘଟଣା ପରେ ଚନ୍ଦ୍ର ଏବଂ ତାଙ୍କ ସ୍ତ୍ରୀ ତିଲାବତୀଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିବା ସହ ହତ୍ୟା କରି ପୋତି ଦେଇଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଘଟଣାସ୍ଥଳରେ ଏସଡିପିଓ ଆଦିତ୍ୟ ସେନଙ୍କ ସମେତ ପୁଲିସ ଅଧିକାରୀ ପହଞ୍ଚି ତଦନ୍ତ କରୁଛନ୍ତି ।