କର୍ଲାମୁଣ୍ଡାରେ ନୂତନ ବିଡିଓଙ୍କ ଯୋଗଦାନକୁ ନେଇ ଚର୍ଚ୍ଚା

କର୍ଲାମୁଣ୍ଡା,ଏନ୍‌ଏନ୍‌ଏସ୍: କର୍ଲାମୁଣ୍ଡା ବିଡିଓ ପ୍ରିୟଦର୍ଶିନୀ ମିର୍ଜାଙ୍କ ବଦଳିପରେ କେସିଙ୍ଗା ବ୍ଲକର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ସିଦ୍ଧେଶ୍ୱର ମେହେର ବିଡିଓ ଭାବେ କିଛି ଦିନ ଦାୟିତ୍ୱ ତୁଲାଇଥିଲେ। ଆଜି ନୂତନ ବିଡିଓ ଭାବେ ମ. ରାମପୁର ତହସିଲଦାର ସୁଚରିତା ମୁଗୁରି ଯୋଗଦେଇଛନ୍ତି। ବିଗତ ଦିନରେ କର୍ଲାମୁଣ୍ଡା ବ୍ଲକରେ ଅନେକ ବଛା ବଛା ଅଧିକାରୀମାନେ ନିଯୁକ୍ତ ହୋଇଥିଲେ ମଧ୍ୟ ବ୍ଲକ୍‌ ପ୍ରଶାସନ ତରଫରୁ ଅନେକ ଦୁର୍ନୀତି ଘଟଣା ସାମ୍ନାକୁ ଆସିଥିଲେ ମଧ୍ୟ ଜନତାଙ୍କ ଆଖିରେ କଳାପଟି ବାନ୍ଧି କିଛି ଅସାଧୁ ଅଧିକାରୀ ଏବଂ କିଛି ନିକଟତମ ଠିକାଦାର ମାନଙ୍କୁ ଘଣ୍ଟ ଘୋଡାଇ ଆସୁଥିଲେ।

କନିଷ୍ଠଯନ୍ତ୍ରୀ ମାନଙ୍କ ଅନୁପସ୍ଥିତି, ପ୍ରଧାନମନ୍ତ୍ରୀ ଯୋଜନାରେ ଅନିୟମିତତା, ମନରେଗା ଯୋଜନାରେ ଅନିୟମିତତା, ଠିକାଦାର ପୋଷାନୀତିରେ ଉନ୍ନୟନମୂଳକ କାର୍ଯ୍ୟ, ଏଭଳି ଅନେକ ଅଭିଯୋଗକୁ ଅଣଦେଖା କରିଆସୁଥିବା ସହ ସାଧାରଣ ଲୋକଙ୍କ ଅପସନ୍ଦ କାର୍ଯ୍ୟ କରୁଥିବା ହେତୁ ଲୋକଙ୍କ ମନରେ ଅସନ୍ତୋଷର ଦାନା ବନ୍ଧୁଥୁଲା। ଅନ୍ୟପଟେ ପୋଡ଼ସି ବ୍ଲକର ତହସିଲଦାର ସୁଚରିତା ମୁଗୁରି ଥିବା ସମୟରେ ଅନେକ ଠିକାଦାର ଏବଂ ସରକାରୀ ଟିକସ ଫାଙ୍କୁ ଥିବା ବ୍ୟକ୍ତି ବିଶେଷକୁ ନାକେଦମ କରିଆସୁଥିଲେ। ଆଗାମୀ ଦିନରେ କିଭଳି ମୃଷ୍ଟିମେୟ ଗୋଷ୍ଠୀ, ରାଜନୈତିକ ଚାପ ଓ ଦୁର୍ନୀତିକୁ ରୋକିପାରୁଛନ୍ତି କି ପ୍ରଶୟ ଦେଉଛନ୍ତି ତାହା ଦେଖିବା ବାକି ରହିଲା।