ନବରଙ୍ଗପୁର ମହାବିଦ୍ୟାଳୟରେ ଓଡ଼ିଆ ବିଭାଗର ଆଲୋଚନା ଚକ୍ର

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ନବରଙ୍ଗପୁର ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ‘ଫକୀର ମୋହନଙ୍କ ଗଳ୍ପ ସାହିତ୍ୟ’ ଉପରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟଅତିଥି ଭାବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡା. ଭାସ୍କର ନାଥ ବିଶ୍ୱାଳ ଯୋଗଦେଇ ଶ୍ରେଣୀ ଗୃହ ଶିକ୍ଷା ସହିତ ଆଲୋଚନା ଚକ୍ରରେ ଭାଗ ନେଲେ ଛାତ୍ରଛାତ୍ରୀମାନେ ଯେକୌଣସି ବିଷୟରେ ଅଧିକ ଗବେଷଣାତ୍ମକ ତଥ୍ୟ ପାଇପାରିବେ ବୋଲି କହିଥିଲେ । ଆଲୋଚନା ଚକ୍ରରେ ମୁଖ୍ୟବକ୍ତା ଭାବରେ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ସହକାରୀ ପ୍ରଫେସର ଡା. ଅରୁଣ କୁମାର ରାଜ୍ ଯୋଗଦେଇ ପିଲାଙ୍କୁ ଫକୀର ମୋହନଙ୍କ ଗଳ୍ପ ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋକପାତ କରିବା ସହିତ ଛାତ୍ରଛାତ୍ରୀଙ୍କୁ ଜୀବନରେ ସଫଳତା ପାଇବା ପାଇଁ ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ସ୍ଥିର କରିବାକୁ ପରାମର୍ଶ ଦେଇଥିଲେ । ଅନ୍ୟତମ ସମ୍ମାନିତ ଅତିଥିଭାବେ ରସାୟନ ବିଜ୍ଞାନ ବିଭାଗର ମୁଖ୍ୟ ପ୍ରାଧ୍ୟାପକ ଡି. ଗୋବିନ୍ଦା ରାଓ ଫକୀରମୋହନଙ୍କ ବିଭିନ୍ନ ଗଳ୍ପର ଚରିତ୍ର ଗୁଡ଼ିକ ସାଂପ୍ରତିକ ସମାଜରେ କିପରି ପ୍ରତିଫଳିତ ହୋଇଛି ଉଲ୍ଲେଖ କରିଥିଲେ । ଓଡ଼ିଆ ବିଭାଗର ମୁଖ୍ୟ ଡା. ନିନ୍ଦିତା ମିଶ୍ର ଅତିଥିଙ୍କ ପରିଚୟ ପ୍ରଦାନ କରି ଫକୀରମୋହନଙ୍କ ଗଳ୍ପ ସାହିତ୍ୟର ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇଥିଲେ । ପରେ ଯୁକ୍ତ ୩ ବର୍ଷର ଛାତ୍ରୀ ସୁଜାତା ସୁନା, ଦ୍ୱିତୀୟ ବର୍ଷର ସୁଜାତା ନାୟକ ଓ ଚିନ୍ମୟ ନାୟକ ଆଲୋଚନା ଚକ୍ରରେ ଭାଗନେଇ ଫକୀର ମୋହନଙ୍କ ଗଳ୍ପ ସାହିତ୍ୟ ଉପରେ ପ୍ରବନ୍ଧ ପାଠ କରିଥିଲେ । ସଂପୂର୍ଣ୍ଣ କାର୍ଯ୍ୟକ୍ରମକୁ ୩ୟ ବର୍ଷର ଛାତ୍ରୀ ସୁଶ୍ରୀ ସୁଜାତା ସୁନା ସଂଯୋଜନା କରିଥିବାବେଳେ ସୁଶ୍ରୀ ରୋଜାଲିନ ବେହେରା, ଫକୀରମୋହନଙ୍କ ଉପରେ ସ୍ୱରଚିତ କବିତା ପାଠ କରିଥିଲେ । ଶେଷରେ ଉପସ୍ଥିତ ଥିବା ସମସ୍ତ ଅତିଥି ଓ ଛାତ୍ରଛାତ୍ରୀଙ୍କୁ ଅଧ୍ୟାପକ ପ୍ରିୟବ୍ରତ ସାହୁ ଧନ୍ୟବାଦ ଦେଇଥିଲେ ।