ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ଼ ଥାନା ଅନ୍ତର୍ଗତ ସରମୁହାଣ ଗ୍ରାମର ଯୋଗେନ୍ଦ୍ର ମେହେରଙ୍କ ପୁଅ ଦୀପକ ମେହେର(୨୦) ନିଖୋଜ ହେବା ଘଟଣା ମାସକରୁ ଊର୍ଦ୍ଧ୍ୱ ହୋଇଥିଲେ ସୁଦ୍ଧା ତାଙ୍କର କୌଣସି ଖବର ମିଳିପାରିନାହିଁ । ଅନ୍ୟପଟେ ନିଖୋଜ ଯୁବକ ଜଣକ ଦିବ୍ୟାଙ୍ଗ ହୋଇଥିବାବେଳେ ସେ କଥା କହିପାରୁ ନଥିବାରୁ ପରିବାର ମାନସିକ ଦୁଶ୍ଚିନ୍ତା ମଧ୍ୟରେ କାଳାତିପାତ କରୁଥିବା ଦେଖାଦେଇଛି ।
ମିଳିଥିବା ରିପୋର୍ଟ ମୁତାବକ, ଦୀପକ ମେହେର ଗତ ଜାନୁୟାରୀ ୧୬ ତାରିଖ ପାଟଣାଗଡ଼ ଆସି ଆଉ ଘରକୁ ଫେରିନଥିଲେ । ପରିବାର ଲୋକ ତାଙ୍କୁ ବହୁ ଖୋଜାଖୋଜି କରି ନ ପାଇବାରୁ ପାଟଣାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଦୀପକଙ୍କ ସମ୍ପର୍କୀୟ ଯୋଗୀନ୍ଦ୍ର ମେହେର ନିଜେ ଖୋଜାଖୋଜି କରିବା ପରେ ଜାଣିବାକୁ ପାଇଲେ ଯେ ୧୬ ତାରିଖ ଦିନ ସେ ପାଟଣାଗଡ଼ କଲେଜ ଛକରୁ କଣ୍ଟାବାଞ୍ଜି ମା’ ମଙ୍ଗଳା ବସରେ ପଲାଇଥିଲେ । ଏଥିସହିତ କଣ୍ଟାବାଞ୍ଜି ଇନ୍ଦିରା ଛକରେ ଶେଷଥର ପାଇଁ ସିସିଟିଭି ଫୁଟେଜରେ କଏଦ ହୋଇଥିଲେ । କଣ୍ଟାବାଞ୍ଜିରେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର ପତ୍ତା ମିଳିନଥିଲା । ଏଣୁ ଯୋଗେନ୍ଦ୍ର ବଲାଙ୍ଗିର ଏସପିଙ୍କୁ ଲିଖିତ ଭାବେ ଅନୁରୋଧ କରିବା ସହ କୌଣସି ବ୍ୟକ୍ତି ତାଙ୍କୁ ଦେଖିଲେ ୯୯୩୭୩୮୫୫୧୪/ ୬୩୭୨୭୨୩୭୩୪ ମୋବାଇଲ ନଂରେ ଯୋଗାଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି ।