କୋଲକାତା,ଏଜେନ୍ସି : ଦେଶବ୍ୟାପୀ ୫୦ ଲକ୍ଷ ମୁସଲିମ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯିବ। ଆବଶ୍ୟକ ପଡ଼ିଲେ ସେମାନଙ୍କୁ ଦେଶରୁ ତଡ଼ି ଦିଆଯିବ ବୋଲି ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ଦିଲ୍ଲୀପ ଘୋଷ କହିଛନ୍ତି। ଘୋଷଙ୍କ ବିବୃତିକୁ ନେଇ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି। ରବିବାର ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ଅନୁଷ୍ଠିତ ସମାବେଶରେ ଯୋଗଦେଇ ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ସିଧା ଟାର୍ଗେଟ୍ କରିଥିଲେ। ସେ କହିଥିଲେ, ଭୋଟର ତାଲିକାରୁ ବେଆଇନ ଅନୁପ୍ରବେଶକାରୀଙ୍କ ନାମ କାଟି ଦିଆଯିବା ପରେ ମମତା ଦିଦିଙ୍କର ସବୁ ଦମ୍ଭ ଭାଙ୍ଗିଯିବ। ଦିଲ୍ଲୀପଙ୍କ ମତରେ ଭୋଟର ତାଲିକାରୁ ମୁସଲିମ ଅନୁପ୍ରବେଶକାରୀଙ୍କ ନାମ କାଟିଦେବା ପରେ ଦିଦିଙ୍କ ଭୋଟର ସଂଖ୍ୟା କମିଯିବ। ୨୦୨୧ ବିଧାନସଭା ନିର୍ବାଚନ ପୂର୍ବରୁ ଏହି କାମ ତୁରନ୍ତ ହୋଇଯିବା ଦରକାର।
ଏପରି ହେଲେ ପଶ୍ଚିମବଙ୍ଗରେ ବିଜେପିକୁ ୨୦୦ ଆସନ ମିଳିବ। ତୃଣମୂଳ କଂଗ୍ରେସ ୫୦ଟି ଆସନ ପାଇବାକୁ ସକ୍ଷମ ହେବନି। କଂଗ୍ରେସ ସମେତ ଅନ୍ୟାନ୍ୟ ବିରୋଧୀ ଦଳଗୁଡ଼ିକ ମଧ୍ୟ ଦିଲ୍ଲୀପ ଘୋଷଙ୍କ ସମାଲୋଚନାରୁ ବାଦ୍ ପଡ଼ିନାହାନ୍ତି। ସେ କହିଛନ୍ତି, ନାଗରିକତା ସଂଶୋଧନ ଆଇନ ଓ ରାଷ୍ଟ୍ରୀୟ ନାଗରିକ ପଞ୍ଜିକାକୁ ପ୍ରତିବାଦ କରୁଥିବା ନେତାମାନଙ୍କ ମନରେ ବେଆଇନ ଅନୁପ୍ରବେଶକାରୀଙ୍କ ପ୍ରତି ଅନୁକମ୍ପା ଅଛି। ସେ ଅଭିଯୋଗ କରିଛନ୍ତି, ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ବିରୋଧୀ ଦଳର କର୍ମୀମାନେ ବହୁ ସରକାରୀ ସମ୍ପତ୍ତି ନଷ୍ଟ କଲେ। ଅଥଚ ମମତା ବାନାର୍ଜୀଙ୍କ ସରକାର ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି।