ହକି ଇଣ୍ଡିଆ ସଭାପତି ହେଲେ ପଦ୍ମଶ୍ରୀ ଦିଲୀପ ତିର୍କୀ, ନବୀନଙ୍କ ଶୁଭେଚ୍ଛା

ହାଇଦ୍ରାବାଦ,ଏଜେନ୍ସି: ହକି ଇଣ୍ଡିଆ ସଭାପତି ହେଲେ ଦିଲୀପ ତିର୍କୀ । ପ୍ରଥମ ଓଡିଆ ଭାବେ ଏହି ସମ୍ମାନଜନକ ପଦରେ ଦାୟିତ୍ବ ତୁଲାଇବେ ପଦ୍ମଶ୍ରୀ ଦିଲୀପ ତିର୍କୀ । ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲୀପ ତିର୍କୀ ହକି ଇଣ୍ଡିଆ ସଭାପତି ପଦରେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । ସଭାପତି ପଦ ପାଇଁ ଦିଲୀପଙ୍କ ସମେତ ଉତ୍ତର ପ୍ରଦେଶ ହକି ସଂଘର ସଭାପତି ରମେଶ କଟିୟାଲ ଓ ଝାଡଖଣ୍ଡ ହକିର ଉପସଭାପତି ଭୋଲାନାଥ ସିଂ ନାମାଙ୍କନ ଦାଖଲ କରିଥିଲେ । ହକି ଆସୋସିଏସନ ଅଫ ଓଡିଶା ପକ୍ଷରୁ ସଭାପତି ପଦ ପାଇଁ ନାମାଙ୍କନ ଭରିଥିଲେ ଦିଲୀପ ।

ତେବେ ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନରେ ଭୋଲାନାଥ ସିଂ ଓହରିଯିବାରୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି ଦିଲୀପ ତିର୍କୀ । ପୂର୍ବରୁ ରମେଶ କଟିୟାଲ ନାମାଙ୍କନ ପ୍ରତ୍ୟାହାର କରିନେଇଥିଲେ । ହକି ଇଣ୍ଡିଆ ପକ୍ଷରୁ ଅନୁଷ୍ଠାନିକ ଭାବେ ଘୋଷଣାକୁ ଅପେକ୍ଷା ରହିଥିବାବଳେ, ଓଡିଶା ହକି ପ୍ରମୋସନ କାଉନସିଲର ଅଧ୍ୟକ୍ଷ ଥିବା ଦିଲୀପ, ନିଜେ ଟ୍ବିଟ୍‌ କରି ନିର୍ବାଚନ ଫଳାଫଳ ନେଇ ସୂଚନା ଦେଇଛନ୍ତି ।

ମହିଳା ଉପସଭାପତି ଭାବେ ହକି ଜାମ୍ମୁ ଓ କାଶ୍ମୀରର ଅସିମା ଅଲୀ, ଓ ପୁରୁଷ ଉପସଭାପତି ଭାବେ ହକି କର୍ଣ୍ଣାଟକର ଏସଭିଏସ ସୁବ୍ରମନୟ ଗୁପ୍ତା ମଧ୍ୟ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । ସେହିପରି ସେକ୍ରେଟାରୀ ଜେନେରାଲ ଭାବେ ହକି ଝାଡଖଣ୍ଡର ଭୋଲାନାଥ ସିଂ ନିର୍ବାଚିତ ହୋଇଛନ୍ତି । କୋଷାଧ୍ୟକ୍ଷ ହୋଇଛନ୍ତି ହକି ୟୁନିଟ୍‌ ଅଫ ତାମିଲନାଡୁର ସେକର ଜେ ମନୋହରନ । ଯୁଗ୍ମ ସଚିବ(ମହିଳା) ନିର୍ବାଚିତ ହୋଇଛନ୍ତି ହରି ରାଜସ୍ଥାନର ଆରତି ସିଂ ଓ ପୁରୁଷ ଯୁଗ୍ମ ସଚିବ ହୋଇଛନ୍ତି ହକି ହରିୟାଣାର ସୁନୀଲ ମଲିକ ।

ବୋର୍ଡର କାର୍ଯ୍ୟନିବାହୀ ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି, ହକି ରାଜସ୍ଥାନର ଅରୁଣ କୁମାର ସାରସ୍ବତ, ହକି ଝାଡଖଣ୍ଡର ଅସ୍ରିତା ଲାକ୍ରା, ଦିଲ୍ଲୀ ହକିର ଗୁରପ୍ରୀତ କୌର, କେରଳ ହକିର ଭି ସୁନୀଲ କୁମାର ଓ ଆମାସ ହକିର ତପନ କୁମାର ଦାସ ।

ହକି ଇଣ୍ଡିଆ ସଭାପତି ନିର୍ବାଚିତ ହେବାପରେ ଦିଲୀପ ତିର୍କୀଙ୍କ ନିକଟଙ୍କୁ ଛୁଟିଛି ଶୁଭେଚ୍ଛାର ସୁଅ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଦିଲୀପଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ” ହକି ଇଣ୍ଡିଆର ସଭାପତି ନିର୍ବାଚିତ ହୋଇଥିବାରୁ ଦିଲୀପ ତିର୍କୀ ତଥା ହକି ଦଳର ପୂର୍ବତନ ଅଧିନାୟକଙ୍କୁ ଶୁଭେଚ୍ଛା । ମୁଁ ନିଶ୍ଚିତ ଯେ, ଭାରତୀୟ ହକି ଦଳର ଜଣେ ଚମତ୍କାର ଖେଳାଳି ଭାବରେ ସେ ଖେଳକୁ ନୂଆ ଦିଶା ଦେବା ସହିତ ବହୁ ଉଚ୍ଚକୁ ନେଇଯିବେ । ତାଙ୍କୁ ବହୁତ ବହୁତ ଶୁଭେଚ୍ଛା ।”