ମୃତକଙ୍କ ପରିବାରକୁ ୪ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କଲେ ଡିଆଇଜି ରାଜେଶ ପଣ୍ଡିତ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ନବରଙ୍ଗପୁର ଜିଲ୍ଲା ହାତୀଗାଁ ଗ୍ରାମରେ ଚନ୍ଦନ ମଲ୍ଲିକଙ୍କୁ ପୁଲିସ ସମ୍ବାଦଦାତା ସନ୍ଦେହରେ ନକ୍ସଲ ହତ୍ୟା ଘଟଣାରେ ଦକ୍ଷିଣାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ ମୁହଁ ଖୋଲିଛନ୍ତି । ମୃତ ଚନ୍ଦନ ପୁଲିସ ସମ୍ବାଦଦାତା ନୁହେଁ ବୋଲି ଡିଆଇଜି ସ୍ୱଷ୍ଟ କରିଛନ୍ତି । ମାଓବାଦୀ ଚନ୍ଦନକୁ ପୁଲିସ ସମ୍ବାଦଦାତା ଭାବିଥିଲେ କିନ୍ତୁ ସେ ପୁଲିସ ସମ୍ବାଦଦାତା ନୁହଁନ୍ତ ବୋଲି ତଦନ୍ତ ପରେ ଜାଣିବାକୁ ପାଇଲୁ । ସେମାନେ ଗୋଟେ ନିରୀହ ଲୋକଙ୍କୁ ହତ୍ୟା କରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ଏହାପରେ ଅପରେସନକୁ ଆହୁରି ଜୋରଦାର କରାଯିବ । ଏନେଇ ନବରଙ୍ଗପୁର ଆରଓ କାର୍ଯ୍ୟାଳୟରେ ଡିଆଇଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଉକ୍ତ ସାମ୍ବାଦିକ ସମ୍ମୀଳନୀର ଡିଆଇଜିଙ୍କ ସମେତ ଏସପି ଏସ. ସୁଶ୍ରୀ ଉପସ୍ଥିତ ଥିଲେ । ଡିଆଇଜି ଶ୍ରୀ ପଣ୍ଡିତ, ସିଆରପିଏଫ ୧୨ ବାଟାଲିଆନର ଅଧିକାରୀ ଓ ଏସପି ଏସ ସୁଶ୍ରୀ ମିଳିତ ଭାବେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ଏହାସହ ମୃତ ଚନ୍ଦନଙ୍କ ପରିବାରକୁ ସରକାରୀ ନିୟମ ଅନୁସାରେ ୪ ଲକ୍ଷ ଟଙ୍କାର ଚେକ ପ୍ରଦାନ କରାଯାଇଥିବା ଡିଆଇଜି ଶ୍ରୀ ପଣ୍ଡିତ ସୂଚନା ଦେଇଛନ୍ତି । ଏହି ହତ୍ୟା ଘଟଣାରେ ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଗରିଆବନ୍ଧର ମେନପୁର ଡିଭିଜନ ଉଦନ୍ତ କମିଟିର ହାତ ଥାଇପାରେ ବୋଲି ସନ୍ଦେହ ପ୍ରକାଶ କରାଯାଇଛି । ସୂଚନାଯୋଗ୍ୟ, ଗୁରୁବାର ରାତିରେ ପୁଲିସ ସମ୍ବାଦଦାତା ସନ୍ଦେହରେ ଚନ୍ଦନକୁ ଘରୁ ଡାକି ନେଇ ମାଓବାଦୀମାନେ ହତ୍ୟା କରିଥିଲେ ।