ମୃତ୍ୟୁର ୩ଦିନ ପରେ ବି ମିଳିଳାନି ହରିଶନ୍ଦ୍ର ଯୋଜନାରେ ସହାୟତା

ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ଼ ବ୍ଲକ ମରୁଆଁ ପଞ୍ଚାୟତର ପାଢ଼େଲ ଗ୍ରାମକୁ କିଛି ବର୍ଷ ପୂବେ ଛତିଶଗଡ଼ର କଲ୍ୟାଣ ନାମକ ଜଣେ ବ୍ୟକ୍ତି ଆସି ରହିଥିଲେ। ପରେ ସେହି ଗ୍ରାମର ସୀତା ସରାଫକୁ ଭଲ ପାଇ ବିବାହ କରିଥିଲେ। ଉଭୟ ପାଢ଼େଲ ନିକଟସ୍ଥ ଗୋଶାଳରେ କାମ କରୁଥିଲେ। ସେମାନଙ୍କର ୩ ଝିଅ ଓ ଗୋଟିଏ ପୁଅ ରହିଛି। କିଛିଦିନ ତଳେ କଲ୍ୟାଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ବଲାଙ୍ଗିର ଭୀମଭୋଇ ମେଡିକାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ। ଆଉ ଗତକାଲି କଲ୍ୟାଣର ମୃତ୍ୟୁ ହୋଇଥିଲା। ପରେ ମୃତଦେହକୁ ପାଢ଼େଲ ଗ୍ରାମକୁ ଅଣା ଯାଇଥିଲା। କିଛି ଘଣ୍ଟା ଶବ ପଡ଼ି ରହିଥିବାବେଳେ ଶବ ସତ୍କାର ପାଇଁ କେହିି ବାହାରିନଥିଲେ। ପରେ ଉକ୍ତ ଗ୍ରାମର ଜଣେ ବ୍ୟକ୍ତି ମାନବିକତା ଦେଖାଇ ଶଗଡ଼ ଗାଡ଼ି ଦେଇଥିଲେ। ଶଗଡ଼ ଗାଡ଼ିରେ କଲ୍ୟାଣର ଶବକୁ ବୋହି ନାବାଳକ ପୁଅ ନିକଟସ୍ଥ ମଶାଣୀରେ ଶବ ସତ୍କାର କରିଥିଲା। ମୃତକଙ୍କ ପରିବାରକୁ ଶକ ସତ୍କାର ପାଇଁ ସରକାର ହରିଶ୍ଚନ୍ଦ୍ର ଯୋଜନାରେ ୨ହଜାର ଟଙ୍କାର ସହାୟତା ଦେଇଥାନ୍ତି ହେଲେ କଲ୍ୟାଣର ପରିବାରକୁ ୩ଦିନ ପରେ ମଧ୍ୟ ସହାୟତା ଦିଆଯାଇ ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଉକ୍ତ ଘଟଣା ସମ୍ପର୍କରେ ଜାଣିବା ପରେ ପାଟଣାଗଡ଼ ବ୍ଲକ ଅଧ୍ୟକ୍ଷ ଭକ୍ତବନ୍ଧୁ ନାୟକ ଉକ୍ତ ପରିବାରକୁ ଭେଟି ୨ବସ୍ତା ଚାଉଳ ସହ ୩ହଜାର ଟଙ୍କା ସହାୟତା ଦେଇଥିଲେ। ବ୍ଲକ ଅଧ୍ୟକ୍ଷଙ୍କ ସହ କୈଳାଶ ରାଉତ, ଜିତୁ ମହାନ୍ତି, ବିଶେଶ୍ୱର ସରାଫ, ନକୁଳ ସରାଫ, ବିଜୟ ସରାଫ, ଡମ୍ବରୁ ପୁଟେଲ ଓ ମାଖନ ସରାଫ ପ୍ରମୁଖ ଉପସ୍ଥିତ ଥିଲେ।