ଜିଲ୍ଲା କଂଗ୍ରେସ ପକ୍ଷରୁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ବିପୁଳ ସମ୍ବର୍ଦ୍ଧନା, ୯ରୁ ୯୦ ସିଟ ପାଇଁ କର୍ମୀଙ୍କୁ ଦେଲେ ଟାର୍ଗେଟ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଦେବଗଡ଼ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆଜି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ପୂର୍ବାହ୍ନରେ ଜିଲ୍ଲା କଂଗ୍ରେସ ସଭାପତି ଉମାଶଙ୍କର ସାହୁଙ୍କ ନେତୃତ୍ୱରେ ଜେଲ ଛକ ନିକଟରୁ ହଜାର ହଜାର କଂଗ୍ରେସ କର୍ମୀ ଶ୍ରୀ ପଟ୍ଟନାୟକଙ୍କୁ ଏକ ଶୋଭାଯାତ୍ରାରେ ଗୋପାଳଜୀ ମନ୍ଦିର ପରିସରରେ ଥିବା ସେଣ୍ଟର ଫର କଲଚର କଲ୍ୟାଣ ମଣ୍ଡପକୁ ପାଛୋଟି ଆଣି ପୁଷ୍ପଗୁଚ୍ଛ ସହ ଉପଢୌକନ ପ୍ରଦାନ କରିଥିଲେ । ଏହି ଅବସରରେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ା, ରାଜ୍ୟ ସାଧାରଣ ସମ୍ପାଦିକା ମାଣିକ ପ୍ରଭା ପ୍ରଧାନ, ପୂର୍ବତନ ବିଧାୟକ ରାଜେନ୍ଦ୍ର ଛାତ୍ରିଆ, ଲଲାଟେନ୍ଦୁ ମହାପାତ୍ର, ଚିନ୍ମୟ ବେଉରା ଓ ଟ୍ରେଡ଼ ୟୁନିୟନ ସଭାପତି କିଶୋର ଜେନା ପ୍ରମୁଖ ମଞ୍ଚାସିନ ଥିଲେ । ଏଥିରେ ଅତିଥିବୃନ୍ଦ ଦଳ ମଧ୍ୟରେ ମତଭେଦକୁ ଦୂର କରି କେନ୍ଦ୍ର ସରକାରଙ୍କ ଗରିବ ମାରଣନୀତି ଓ ରାଜ୍ୟ ସରକାରଙ୍କ ବିଫଳତାକୁ ପ୍ରତି ଘରେ ପହଞ୍ଚାଇବାକୁ ଆହ୍ୱାନ ଦେଇଥିଲେ । ଏଥିସହିତ କଂଗ୍ରେସକୁ ୯ରୁ ୯୦ ଆସନ ସହ କ୍ଷମତାସୀନ କରାଇବାକୁ ଦଳୀୟ କର୍ମୀଙ୍କୁ ଶ୍ରୀ ପଟ୍ଟନାୟକ ଆହ୍ୱାନ ଦେଇଥିଲେ । ସେହିପରି ରାଜ୍ୟ ଓ ଦେଶ ପାଇଁ କଂଗ୍ରେସର ବଳିଦାନକୁ ପୁଣିଥରେ ପ୍ରତି ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ସହ ଆଗାମୀ ନିର୍ବାଚନରେ ରାଜ୍ୟରେ କଂଗ୍ରେସ ସରକାର ଗଠନରେ ସହଯୋଗ ପାଇଁ ଉପସ୍ଥିତ ପ୍ରତିଟି କର୍ମୀଙ୍କୁ ଶ୍ରୀ ପଟ୍ଟନାୟକ କହିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ କମିଟି ମହିଳା ସଭାନେତ୍ରୀ ମଞ୍ଜୁଲତା ନାୟକ, ପୂର୍ବତନ ଜିଲ୍ଲା ସଭାପତି ସେମ ହେମ୍ରମ, ଉପସଭାପତି ସୁବାଷ ଚନ୍ଦ୍ର ଭୋଇ, ସଚ୍ଚିଦାନନ୍ଦ ପଟ୍ଟନାୟକ, ସମ୍ପାଦକ ବିନୋଦ ବିହାରୀ ନାୟକ, ନଗର ସଭାପତି ପ୍ରକାଶ ଚନ୍ଦ୍ର ଦେବତା ଓ ତିଳେଇବଣି ବ୍ଲକ ସଭାପତି ଗଣେଷ ପ୍ରଧାନ ପ୍ରମୁଖ ନିଜ ନିଜ ବକ୍ତବ୍ୟ ପ୍ରଦାନ ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ।