ଅଣ୍ଡର-୧୯ ଏସିଆ କପ୍‌: ଧୁଲ୍ ଭାରତୀୟ ଦଳର ଅଧିନାୟକ

ନୂଆଦିଲ୍ଲୀ,ଏଜେନ୍ସି: ୟୁଏଇରେ ଡିସେମ୍ବର ୨୩ରୁ ହେବାକୁ ଥିବା ଅଣ୍ଡର-୧୯ ଏସିଆ କପ୍ ଟୁର୍ଣ୍ଣାମେଣ୍ଟ୍ ପାଇଁ ଦିଲ୍ଲୀ ବ୍ୟାଟ୍ସମ୍ୟାନ୍ ୟଶ୍ ଧୁଲ୍‌ଙ୍କୁ ୨୦ ଜଣିଆ ଭାରତୀୟ ଦଳର ଅଧିନାୟକ ନିଯୁକ୍ତ କରାଯାଇଛି। ବିସିସିଆଇ ଶୁକ୍ରବାର ଏହି ଘୋଷଣା କରିଛି। ଟୁର୍ଣ୍ଣାମେଣ୍ଟ୍ ପୂର୍ବରୁ ବେଙ୍ଗାଲୁରୁ ଜାତୀୟ କ୍ରିକେଟ୍ ଏକାଡେମୀ (ଏନ୍‌ସିଏ)ରେ ଡିସେମ୍ବର ୧୧ରୁ ୧୯ ତାରିଖ ପର୍ଯ୍ୟନ୍ତ ଏକ ଅଭ୍ୟାସ ଶିବିରର ଆୟୋଜନ କରାଯିବ। ଏଥିରେ ୨୫ ଖେଳାଳି ଭାଗନେବେ।

ଏହା ମଧ୍ୟରେ ୫ଜଣ ଷ୍ଟାଣ୍ଡ୍‌ବାଇ ଖେଳାଳି ମଧ୍ୟ ସାମିଲ। ଚଳିତ ବର୍ଷ ପ୍ରାରମ୍ଭରେ ଆୟୋଜିତ ଭିନୁ ମଙ୍କଡ଼ ଟ୍ରଫିରେ ଧୁଲ ୭୫.୫୦ ହାରରେ ମୋଟ ୩୦୨ ରନ୍ ସଂଗ୍ରହ କରିଥିଲେ। ବୋର୍ଡ ପକ୍ଷରୁ ଏକ ବୟାନରେ କୁହାଯାଇଛି, ଆସନ୍ତା ବର୍ଷ ଜାନୁୟାରୀ-ଫେବୃଆରୀରେ ୱେଷ୍ଟଇଣ୍ଡିଜ୍‌ରେ ହେବାକୁ ଥିବା ଅଣ୍ଡର-୧୯ ବିଶ୍ୱକପ୍ ପାଇଁ ଭାରତୀୟ ଦଳ ଚୟନ ପରବର୍ତ୍ତୀ ସମୟରେ କରାଯିବ। ଡିଫେଣ୍ଡିଂ ଚାମ୍ପିଅନ୍ ଭାରତ ଏସିସି ଅଣ୍ଡର-୧୯ ଏସିଆ କପ୍ ୬ ଥର ଜିତିଥିବା ବେଳେ ୨୦୧୨ରେ ପାକିସ୍ତାନ ସହ ଟାଇଟଲ୍ ଭାଗ କରିଥିଲା।

ଘୋଷିତ ଦଳ: ହରନୁର ସିଂହ ପନ୍ନୁ, ଅଙ୍ଗକ୍ରିଶ ରଘୁବଂଶୀ, ଅଂଶ ଗୋସାଇ, ଏସ୍‌କେ ରଶିଦ୍‌, ୟଶ୍ ଧୁଲ୍ (ଅଧିନାୟକ), ଅନେଶ୍ୱର ଗୌତମ, ସିଦ୍ଧାର୍ଥ ଯାଦବ, କୌଶଳ ତାମ୍ବେ, ନିଶାନ୍ତ ସିନ୍ଧୁ, ଦିନେଶ ବାନା (ୱିକେଟ୍‌କିପର୍‌), ଆରାଧ୍ୟ ଯାଦବ (ୱିକେଟ୍‌କିପର୍‌), ରାଜନଗଦ ବାୱା, ରାଜବର୍ଦ୍ଧନ ହାଙ୍ଗରଗେକର, ଗର୍ବ ସାଙ୍ଗୱାନ୍‌, ରବି କୁମାର, ଋଷିତ ରେଡ୍ଡୀ, ମାନବ ପାରଖ, ଅମୃତ ରାଜ ଉପାଧ୍ୟାୟ, ଭିକ୍କି ଓସ୍ତୱାଲ୍‌, ବାସୁ ବତ୍ସ; ଷ୍ଟାଣ୍ଡ୍‌ବାଇ ଖେଳାଳି: ଆୟୁଷ ସିଂ ଠାକୁର, ଉଦୟ ସହାରନ, ଶାଶ୍ୱତ ଡଙ୍ଗୱାଲ୍‌, ଧନୁଷ ଗୌଡ଼ା, ପିଏମ୍ ସିଂ ରାଠୋର।