ପଛୁଆ ବର୍ଗଙ୍କୁ ସ୍ଥାନ ସଂରକ୍ଷଣ ଦିଆନଯିବା ରାଜ୍ୟ ସରକାରଙ୍କ ରାଜନୈତିକ ଇଚ୍ଛାଶକ୍ତିର ଅଭାବ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଅନ୍ୟାନ୍ୟ ପଛୁଆ ବର୍ଗ(ଓବିସି)ଙ୍କୁ ଉଭୟ ଚାକିରି ଓ ଶିକ୍ଷା କ୍ଷେତ୍ରରେ ଓ ସାମାଜିକ ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗ (ଏସଇବିସି)ଙ୍କୁ ଶିକ୍ଷା କ୍ଷେତ୍ରରେ ସ୍ଥାନ ସଂରକ୍ଷଣ ଦିଆନଯିବା ରାଜ୍ୟ ସରକାରଙ୍କ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଥିବା ଜଣାପଡୁଛି। ତେବେ ପ୍ରଧାନମନ୍ତ୍ରୀ ମୋଦୀ କାଳେ ନାଁ ନେଇଯିବେ; ଏପ୍ରକାର ଡରରେ ନରହି ରାଜ୍ୟ ସରକାର ନିଜର କର୍ତ୍ତବ୍ୟ ପାଳନ କରନ୍ତୁ ବୋଲି ଗଣମାଧ୍ୟମକୁ ଏପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଜ୍ୟର ମୋଟ ଜନସଂଖ୍ୟାର ପ୍ରମୁଖ ଅଂଶ ହେଉଛନ୍ତି ଓବିସି ଓ ଏସଇବିସି ବର୍ଗ। ଏହି ବର୍ଗର ଲୋକମାନେ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଥିବା ସୁଯୋଗକୁ ବଞ୍ଚିତ ହୋଇଛନ୍ତି। ଯେଉଁ କାରଣରୁ ସେମାନଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ହୋଇପାରିନାହିଁ। କେନ୍ଦ୍ର ସରକାର ପଛୁଆ ବର୍ଗଙ୍କ ପାଇଁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ୨୭ ପ୍ରତିଶତ ସଂରକ୍ଷଣ ସୁବିଧା ଦେଇଥିବା ବେଳେ ତାମିଲନାଡୁ, ମହାରାଷ୍ଟ୍ର ଓ କର୍ଣ୍ଣାଟକ ଆଦି ରାଜ୍ୟ ଗୁଡିକ ମଧ୍ୟ ଏହି ଜାତି ଗୁଡିକର ଜନସଂଖ୍ୟାରେ ଅଧିକ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଛନ୍ତି।

ତେବେ ରାଜ୍ୟରେ ଓବିସି ଏବଂ ଏସଇବିସି ବର୍ଗର ଶ୍ରେଣୀ ବିଶେଷ ଭାବରେ ଯୁବବର୍ଗଙ୍କୁ ଏଥିରୁ ବଂଚିତ ରଖାଯାଇଛି। ତେବେ ଓଡିଶାରେ ପୂର୍ବରୁ ଓବିସି ତଥା ରାଜ୍ୟ ସରକାରଙ୍କ ପାଖରେ ଏସଇବିସି ତାଲିକା ରହିଛି। ରାଜ୍ୟରେ ଓବିସି କମିଶନର ନିଯୁକ୍ତି କୌଣସି ସମ୍ବନ୍ଧ ନାହିଁ। ମହାରାଷ୍ଟ୍ରରେ ମରାଠା ମାନଙ୍କୁ ସଂରକ୍ଷଣ ଦେବା ପାଇଁ ମହାରାଷ୍ଟ୍ର ବିଧାନସଭାରେ ନିୟମ ପାରିତ କରାଗଲା। ସେଠାରେ ନୂଆ କମିଶନ ଗଠନ କରାଗଲା ନାହିଁ। ସେଥିପାଇଁ ସଂରକ୍ଷଣ ବ୍ୟବସ୍ଥା ତୁରନ୍ତ କାର୍ଯ୍ୟକାରୀ କରାଯିବା ଆବଶ୍ୟକ ରହିଛି। ଏହା ସେମାନଙ୍କ ସାମ୍ବିଧାନିକ ଅଧିକାର। ଓଡିଶାରେ ଜାଣିଶୁଣି ଏହି ବର୍ଗରେ ଚାକିରି କ୍ଷେତ୍ରରେ ଥିବା ମାମଲାକୁ କୋର୍ଟରେ ବିଚାରଧୀନ ରଖାଯାଇଛି। କୋର୍ଟରେ ବିଚାରଧୀନ ଥିବା ମାମଲା ଗୁଡିକ ଉପରେ ରାଜ୍ୟ ସରକାର ରିପୋର୍ଟ ଦେବାନେଇ ଶ୍ରୀ ପ୍ରଧାନ ଦାବୀ କରିଛନ୍ତି। କିଛି ବର୍ଷ ପୂର୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଭାରତର ସଂରକ୍ଷଣ ବ୍ୟବସ୍ଥାରେ ଏକ ଯୁଗାନ୍ତକାରୀ ପଦକ୍ଷେପସ୍ୱରୂପ ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗର ଲୋକଙ୍କ ପାଇଁ ୧୦ ପ୍ରତିଶତର ସଂରକ୍ଷଣର ବ୍ୟବସ୍ଥା ଲାଗୁ କରାଗଲା। ଏହାକୁ କେନ୍ଦ୍ର ସରକାର ତଥା ଅନେକ ରାଜ୍ୟ ଏହାକୁ ଲାଗୁ କରିଥିବା ବେଳେ ରାଜ୍ୟ ସରକାର ଏପର୍ଯ୍ୟନ୍ତ ଏହାକୁ କାର୍ଯ୍ୟକାରୀ କରିନାହାନ୍ତି। ତେଣୁ ଓଡିଶା ସରକାର ଓବିସି ଏବଂ ଏସଇବିସି ବର୍ଗରେ ସଂରକ୍ଷଣ ଲାଗୁ କରିବାକୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି।