୩ ବର୍ଷ ଶିଶୁର କୃତ୍ରିମ ଶ୍ରବଣବାଧିତ ଯନ୍ତ୍ରର ସଫଳ ପ୍ରତ୍ୟାରୋପଣ

ବରଗଡ଼, ଏନ୍ଏନ୍ଏସ୍: ବରଗଡ଼ ସଦର ବ୍ଲକ୍ ଧାଙ୍ଗେର ପଞ୍ଚାୟତ ରୋହଣିଆଁ ଗ୍ରାମର ଦେବେନ ପ୍ରଧାନଙ୍କ ଝିଅ ସିମରନ୍ ପ୍ରଧାନ (୩/୫)ର ଆରବିଏସକେ ସହାୟତାରେ ଭୁବନେଶ୍ୱର ଏମସରେ କୃତ୍ରିମ ଶ୍ରବଣ ବାଧିତ ଯନ୍ତ୍ରର ସଫଳ ପ୍ରତ୍ୟାରୋପଣ କରାଯାଇଛି। ସ୍ୱର୍ତ୍ତମାନ ସିମରନ୍ ସୁସ୍ଥ ଥିବା ସହ ଆଗାମୀ ଏକ ସପ୍ତାହ ମଧ୍ୟରେ ଡାକ୍ତରଖାନାରୁ ଡିସଚାର୍ଜ କରାଯିବ ବୋଲି ସୂଚନା ମିଳିଛି ।

ସୂଚନା ଯୋଗ୍ୟ, ରୋହଣିଆଁ ଗ୍ରାମର ସୀତା ପ୍ରଧାନ ଓ ଦେବେନ ପ୍ରଧାନଙ୍କ ଝିଅ ସିମରନ୍ ଜନ୍ମ ସମୟରେ ଠିକ ଥିବା ବେଳେ ଦେଢ଼ ବର୍ଷବୟସରେ ସେ ଶୁଣି ପାରୁ ନ ଥିବା ଏବଂ କଥା କହିବାରେ ବିଳମ୍ବ ହେଉଥିବା ଜଣାପଡିଥିଲା । ତେବେ ଆରବିଏସକେ ମୋବାଇଲ ହେଲଥ ଟିମ ଶିଶୁର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ତାର ଜନ୍ମଗତ ତୃଟି ଥିବା କହିଥିଲେ । ଗତ ୨୦୧୯ରେ ସିମରନର ବୟସ ଏକ ବର୍ଷ ଆଠ ମାସ ହେବା ପରେ ବରଗଡ଼ ସଦର ମହକୁମା ସ୍ଥିତ ସରକାରୀ ଡାକ୍ତରଖାନାରେ ଥିବା ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଜିଲ୍ଲା ସହଳ ସାଧନା କେନ୍ଦ୍ର କଟାପାଲି ଅଣାଗଲା। ସେଠାରେ ଡିଇଆସି , ଅଡିଓଲୋଜିଷ୍ଟ୍ ଙ୍କ ଦ୍ୱାରା ଶିଶୁର ଶ୍ରବଣ ପରୀକ୍ଷା କରାଯିବା ସହ ସିମରନର କାନରେ ଅତ୍ୟଧିକ ଶ୍ରବଣ ଶକ୍ତିହୀନତା ଅଛି ବୋଲି ଜଣାପଡ଼ିଥିଲା। ପରେ ବିଇଆରଏ ପରୀକ୍ଷା ପାଇଁ ବୁର୍ଲାବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ ପଠାଯାଇଥିଲା। ତେବେ ସେଠାରେ ପରୀକ୍ଷା ସହ ଶ୍ରବଣଯନ୍ତ୍ର ପ୍ରଦାନ କରାଯିବା ସହ ବରଗଡ଼ରେ ଶ୍ରବଣ ଥେରାପି ପ୍ରଦାନ କରାଯାଇଥିଲା ।

ପରବର୍ତ୍ତୀ ସମୟରେ ଶୁଣିବାରେ ଅଗ୍ରଗତି ନ ହେବାରୁ ସିମରନ୍ କୁ ଆରବିଏସକେ ତରଫରୁ ଭୁବନେଶ୍ୱର ଏମସକୁ ପଠାଯାଇଥିଲା । ଗତ ଡିସେମ୍ବର ୨୭ ତାରିଖରେ ଏମସରେ ସିମରନର କର୍ଣ୍ଣରେ ସଫଳ ଶ୍ରବଣବାଧିତ ଯନ୍ତ୍ରର ପ୍ରତ୍ୟାରୋପଣ କରାଯାଇଥିଲା । ବର୍ତ୍ତମାନ ସିମରନ୍ ସୁସ୍ଥ ଥିବାବେଳେ ଆଗାମୀ ଏକ ସପ୍ତାହ ମଧ୍ୟରେ ଏମସ ଭୁବନେଶ୍ୱରରୁ ଡିସଚାର୍ଜ କରାଯିବ ବୋଲି ସୂଚନା ମିିଳିଛି । ସିମରନର ଚିକିତ୍ସା ବାବଦକୁ ସମୁଦାୟ ୫ ଲକ୍ଷ ୪୦ହଜାର ଟଙ୍କା ସରକାରଙ୍କ ଦ୍ୱାରା ଆରବିଏସକେ ତରଫରୁ ଏମସକୁ ପୈଠ କରାଯିବ ବୋଲି ବରଗଡ଼ ଆରବିଏସକେ ମେନେଜର ସୂଚନା ଦେଇଛନ୍ତି। ସିମରନର ପିତାମାତା ଜିଲ୍ଲା ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗ ଓ ଆରବିଏସକେକୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।