ସାଢ଼େ ୪ କୋଟି ଓଡ଼ିଆଙ୍କ ବିଜୟ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ପୁରୀରେ ରଥଯାତ୍ରା ପାଇଁ ସପ୍ରିମକୋର୍ଟଙ୍କ ଅନୁମତିକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱାଗତ କରିଛନ୍ତି।  ଏହାସହ ସାଢ଼େ ୪ କୋଟି ଓଡ଼ିଆଙ୍କ ବିଜୟ ଏବଂ ସେମାନଙ୍କ ଦୃଢ ଇଚ୍ଛାଶକ୍ତି ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ସାଢ଼େ ୪ କୋଟି ଓଡ଼ିଆ ଏବଂ ସାରା ବିଶ୍ୱରେ କୋଟି କୋଟି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତ ଭାବାବେଗକୁ ସମ୍ମାନ ଦେଇଥିବାରୁ ସୁପ୍ରିମକୋର୍ଟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି। ସେହିପରି ରଥଯାତ୍ରା କେବଳ ଗୋଟିଏ ଉତ୍ସବ ନୁହେଁ ବରଂ ଭାବାବେଗର ଅବିଚ୍ଛେଦ୍ୟ ଅଙ୍ଗ।

ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରଦ୍ଧା, ଭକ୍ତି, ଆସ୍ଥା ଓ ସମ୍ମାନର ଅସରନ୍ତି ଉତ୍ସ। ଅଗଣିତ ଜନତାଙ୍କର ବିଶ୍ୱାସ, ପରମ୍ପରା, ଭାବାବେଗକୁ ସମ୍ମାନିତ କରିବା ପାଇଁ ପ୍ରଧାନମନ୍ତ୍ରୀ ସବୁବେଳେ ଆଗୁଆ। ବିନା ଭକ୍ତ ସମାଗମରେ ପୁରୀରେ ରଥଯାତ୍ରା ପାଇଁ ସୁପ୍ରିମକୋର୍ଟଙ୍କ ରାୟ ସ୍ୱାଗତଯୋଗ୍ୟ। ସର୍ତ୍ତମୂଳକରେ ରଥଯାତ୍ରା କରିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ଅନୁମତି ଦେଇଥିବା ବେଳେ ରାଜ୍ୟ ସରକାର ଏହାକୁ ସଠିକ୍ ପରିଚାଳନା କରିବେ ବୋଲି ଦୃଢ଼ ବିଶ୍ୱାସ ରହିଛି। ରାଜ୍ୟସରକାର କେନ୍ଦ୍ରସରକାରଙ୍କ ଠାରୁ ରଖୁଥିବା ସମ୍ଭାବ୍ୟ ଅପେକ୍ଷାକୁ ମଧ୍ୟ ପୂରଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ରଥଯାତ୍ରା ପାଇଁ ଜଗଦଗୁରୁ ଶଙ୍କରାଚାର୍ଯ୍ୟ, ଗଜପତି ମହାରାଜା ଦିବ୍ୟସିଂହ ଦେବ, ରାଜ୍ୟ ସରକାର, ଛତିଶାନିଯୋଗ, ସେବାୟତ ଏବଂ ମହାପ୍ରଭୁଙ୍କ ଅଗଣିତ ଭକ୍ତଙ୍କ ପ୍ରାର୍ଥନା ଓ ଉଦ୍ୟମ ପାଇଁ ଶ୍ରୀ ପ୍ରଧାନ ଧନ୍ୟବାଦ ଦେଇଛନ୍ତି।