୨୪ ଘଣ୍ଟା ପାଇଁ ଧର୍ମଗଡ ଏନଏସସି ସଟଡାଉନ

ଫୁଲବାଣୀ,ଏନ୍ଏନ୍ଏସ୍: ରାଜ୍ୟରେ ଦିନକୁ ଦିନ କରୋନା ପଜିଟିଭ ସଂଖ୍ୟା ବଢୁଥିବା ବେଳେ କଳାହାଣ୍ଡି ଜିଲ୍ଲାରେ ମଧ୍ୟ କରୋନା କାୟା ମେଲାଉଛି। ଏଥିସହିତ କଳାହାଣ୍ଡି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬୩ରେ ପହଞ୍ଚିଥିବା ବେଳେ ଆଜି ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିକୁ ଦେଖି ଜିଲ୍ଲାର ଧର୍ମଗଡ଼ ଏନଏସିକୁ ୨୪ ଘଣ୍ଟା ପାଇଁ ସଟଡାଉନ ଘୋଷଣା କରାଯାଇଛି।

ଏହି ସଟଡାଉନ ସମୟରେ ଧର୍ମଗଡ଼ ଏନଏସିର ୧୪ଟି ୱାର୍ଡରେ ବସବାସ କରୁଥିବା ୧୬ ହଜାର ବାସିନ୍ଦାଙ୍କୁ ଘର ଘର ବୁଲି ସ୍ୱାସ୍ଥ୍ୟକର୍ମୀ ଓ ଅଙ୍ଗନୱାଡି ଆଶା ଦିଦି ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ସେମାନଙ୍କର ସ୍ୱାସ୍ଥ୍ୟଗତ ତଥ୍ୟ ସରକାରଙ୍କ ଠାରେ ପହଞ୍ଚାଇବେ। ଏଥିପାଇଁ ୩୧ ଜଣିଆ ଟିମ ଗଠନ କରାଯାଇଛି ବୋଲି ଧର୍ମଗଡ଼ ଉପଜିଲ୍ଲାପାଳ ଦିବାକର ଟି.ଏସ ସୂଚନା ଦେଇଛନ୍ତି। ସଟଡାଉନ ଯୋଗୁଁ ଧର୍ମଗଡ଼ ସହରର ଦୋକାନ ବଜାର ସବୁ ବନ୍ଦ ରହିବା ସହିତ ଯାତାୟାତ ମଧ୍ୟ ବନ୍ଦ ରହିଛି।