ମାଓ ମୁକାବିଲା ଦିଗରେ ମାଲକାନଗିରି ପୁଲିସକୁ ବଡ଼ ସଫଳତା: ଜିଲ୍ଲା ଗସ୍ତରରେ ଡିଜିପି

ମାଲକାନଗିରି,ଏନ୍ଏନ୍ଏସ୍: ଗତ କିଛି ଦିନ ପରେ ମାଲକାନଗିରି ପୁଲିସକୁ ମିଳିଲା ଏକ ବଡ଼ ଧରଣର ସଫଳତା। ମାଲକାନଗିରି ଜିଲ୍ଲାକୁ ଏକ ସମ୍ପୂର୍ଣ୍ଣ ମାଓମୁକ୍ତ ଅଞ୍ଚଳ ଭାବେ ପରିଣତ କରିବାକୁ ପୁଲିସର ଏହା ଏକ ଦୃଢ଼ ପଦକ୍ଷେପ। ମାଥିଲି ବ୍ଲକ ଅନ୍ତର୍ଗତ ତୁଳସୀ ପାହାଡ଼ ସବୁବେଳେ ମାଓବାଦୀଙ୍କ କାର୍ଯ୍ୟକଳାପ ପୁଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା। ଏହି ପାହାଡର ଅପର ପାର୍ଶ୍ଵରେ ଛତିଶଗଡ଼ ରହିଥିବା ଯୋଗୁଁ ମାଓବାଦୀଙ୍କ ପାଇଁ ସୁରକ୍ଷା ସ୍ଥଳୀ ଭାବେ ପରିଗଣିତ ହୋଇଆସୁଛି। ଏହି ଅଞ୍ଚଳ ଉପରେ ଏବେ ପୁଲିସ ଓ ସୁରକ୍ଷା ବାହିନୀର ଫୋକସରେ ରହିଛି।

ଗତକାଲି ଆରମ୍ଭ ହୋଇଥିଲା ମାଓଦମନ ଅପରେସନ। ସାମିଲ ହୋଇଥିଲେ ଏସଓଜି ଓ ଡିଭିଏଫ୍ ଯବାନ। ସର୍ଚ୍ଚ ଅପରେସନ କରିବା ବେଳେ ମୁହାଁମୁହିଁ ହୋଇଥିଲେ ମାଓବାଦୀଙ୍କ ସହ। ଯବାନଙ୍କୁ ଦେଖି ମାଓବାଦୀ ଗୁଳି ଚଳାଇବାରୁ କାଉଣ୍ଟର ଜବାବ ଦେଇଥିଲା ପୁଲିସ। ଏହି ଘଟଣାରେ ୨ ମହିଳା ମାଓବାଦୀ ସମେତ ୩ ଜଣ ନିହତ ହୋଇଥିଲେ। ତୁଳସୀ ପାହାଡ଼ ଅପରେସନ ସାରି ଆଜି ଫେରିଛନ୍ତି ପୁଲିସ ଟିମ। ଦୀର୍ଘ ୧୮ରୁ ୨୦ ଘଣ୍ଟାର ଅପରେସନ ଚାଲିଥିଲା। ୩ ମାଓବାଦୀଙ୍କ ଶବ ଓ ମାଓ ସାମଗ୍ରୀ ସହ ଫେରିଲା ଏହି ଦଳ। ଆଜି ଡିଜିପି ଅଭୟ କୁମାର ମାଲକାନଗିରି ପହଞ୍ଚି ଘଟଣାର ସମୀକ୍ଷା କରୁଛନ୍ତି। ତୁଳସୀ ପାହାଡ଼ ଏନକାଉଣ୍ଟର ଘଟଣାର ମଧ୍ୟ ସେ ସମୀକ୍ଷା କରୁଛନ୍ତି। ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା ଓ ମାଓଦମନ ନେଇ ମଧ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ।