ନୂଆଦିଲ୍ଲୀ,ଏଜେନ୍ସି: କୋଭାକ୍ସିନ ଓ କୋଭିସିଲ୍ଡର ମିଶ୍ରଣ ଉପରେ ଅଧ୍ୟୟନ କରିବାକୁ ଅନୁମତି ଦେଲା ଡିସିଜିଆଇ। କିଛି ଦିନ ତଳେ ଆଇସିଏମଆର କହିଥିଲା ଯେ, କୋଭାକ୍ସିନ ଓ କୋଭିସିଲ୍ଡର ମିଶ୍ରିତ ଡୋଜ୍ ସର୍ବାଧିକ ପ୍ରଭାବଶାଳୀ। ଏଭଳି ମିଶ୍ରିତ ଡୋଜ ନେଉଥିବା ଲୋକଙ୍କ ଶରୀରରେ କରୋନା ସଂକ୍ରମଣର ସମ୍ଭାବନା କମ ରହୁଛି। ଫଳରେ ଶରୀରରେ ଅଧିକ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହେଉଛି। ଏହାକୁ ନଜରରେ ରଖି କୋଭିିସିଲ୍ଡ ଏବଂ କୋଭାକ୍ସିନର ମିଶ୍ରଣକୁ ନେଇ ଅଧ୍ୟୟନ କରିବା ପାଇଁ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ, ଡିସିଜିଆଇ ଅନୁମତି ଦେଇଛନ୍ତି।
ଏହି ଅଧ୍ୟୟନ ଏବଂ ଏହାର କ୍ଲିନିକାଲ୍ ପରୀକ୍ଷା, ଭେଲୋରର ଖ୍ରୀଷ୍ଟିଆନ ମେଡିକାଲ୍ କଲେଜ ଦ୍ୱାରା ପରିଚାଳିତ ହେବ। ବିଶେଷଜ୍ଞ କାର୍ଯ୍ୟ ସମିତି କିଛିଦିନ ପୂର୍ବରୁ କୋଭିସିଲ୍ଡ ଓ କୋଭାକ୍ସିନର ମିଶ୍ରିତ ଡୋଜ ସହ ନାକରେ ପକାଯାଉଥିବା ଭାରତ ବାୟୋଟେକର ଟିକା ଉପରେ ଅଧ୍ୟୟନ କରିବାକୁ ମଞ୍ଜୁରି ପ୍ରଦାନ କରିଥିଲେ। ଏହି ସମୟରେ ଏସଇସି କହିଥିଲେ ଯେ ଅନେକ ଦେଶ ଏବେ ତା’ର ନାଗରିକମାନଙ୍କୁ ମିଶ୍ରିତ କରୋନା ଟିକା ଦେଉଛି ଓ ତାହାର ପରିଣାମ ଭଲ ରହୁଛି।