ଆସନ୍ତା ୧୬ରୁ ସର୍ବସାଧାରଣ ଦର୍ଶନ ପାଇଁ ଖୋଲିବ ଶ୍ରୀମନ୍ଦିର; ଏସଓପି ଜାରି କଲା ମନ୍ଦିର ପ୍ରଶାସନ

ପୁରୀ,ଏନ୍ଏନ୍ଏସ୍: କରୋନା ମହାମାରୀ ପାଇଁ ଚଳିତ ବର୍ଷ ମାର୍ଚ୍ଚ ୨୪ରେ ଶ୍ରୀମନ୍ଦିରକୁ ଭକ୍ତଙ୍କ ପାଇଁ ବନ୍ଦ କରାଯାଇଥିଲା। ସଂକ୍ରମଣ କମ କରିବା ପାଇଁ ମନ୍ଦିର ଭିତରକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଥିବା ବେଳେ ଏବେ ମନ୍ଦିର ଖୋଲିବାକୁ ନିଷ୍ପତ୍ତି ନେଇଛି ମନ୍ଦିର ପ୍ରଶାସନ। ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ଅଗଷ୍ଟ ୧୬ ତାରିଖରୁ ଶ୍ରୀମନ୍ଦିର ଖୋଲିବାକୁ ନିଷ୍ପତ୍ତି ନେଇଥିବା ବେଳେ ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍‌ କୁମାର ଏସଓପି ଜାରି କରିଛନ୍ତି।

ପ୍ରଥମେ ମନ୍ଦିର ସେବକଙ୍କ ପରିବାର ଲୋକ ଅଗଷ୍ଟ ୧୨ ଏବଂ ୧୩ରେ ମହାପ୍ରଭୁଙ୍କ ଦର୍ଶନ କରିବେ। ମନ୍ଦିରରେ ପ୍ରବେଶ କରିବାବେଳେ ସେମାନଙ୍କର ସ୍ୱାସ୍ଥ୍ୟ ବୀମା କାର୍ଡ ବା ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ଜାରି କରାଯାଇଥିବା ଅନ୍ୟ କୌଣସି ପରିଚୟ ପତ୍ର ସହିତ ଆଧାର କାର୍ଡ ବା ଭୋଟର କାର୍ଡ ଦେଖାଇ ପ୍ରବେଶ କରିପାରିବେ। ଅଗଷ୍ଟ ୧୬ରୁ ୨୦ପର୍ଯ୍ୟନ୍ତ କେବଳ ପୁରୀବାସୀ ମହାପ୍ରଭୁଙ୍କୁ ଦର୍ଶନ କରିବାର ସୁଯୋଗ ପାଇବେ। ଏଥିପାଇଁ ସେମାନଙ୍କୁ ଆଧାର ବା ଭୋଟର କାର୍ଡ ଦେଖାଇବାକୁ ହେବ। ଅଗଷ୍ଟ ୨୩ରୁ ପୁରୀ ବାହାରର ସମସ୍ତ ଭକ୍ତ ପୁରୀ ଯାଇ ମହାବାହୁଙ୍କୁ ଦର୍ଶନ କରିବେ।

ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଭକ୍ତମାନେ ଦର୍ଶନ ପାଇଁ ମନ୍ଦିର ଭିତରକୁ ଯାଇପାରିବେ। ସପ୍ତାହାନ୍ତ ସଟଡାଉନ ସମୟରେ ମନ୍ଦିରରେ ଦର୍ଶନ ବନ୍ଦ ରହିବ। ବଡ଼ ବଡ଼ ପର୍ବପର୍ବାଣୀରେ ଭିଡ଼ ହେବାର ଆଶାଙ୍କା ଥିବାରୁ ଉକ୍ତ ଦିନ ମାନଙ୍କରେ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବ। ମନ୍ଦିର ଭିତରକୁ ପ୍ରବେଶ କରିବା ପୂର୍ବରୁ ଭକ୍ତ ହାତ ସାନିଟାଇଜ କରିବା ସହ ମାସ୍କ ପିନ୍ଧିବେ ଏବଂ ସାମାଜିିକ ଦୂରତା ଅବଲମ୍ବନ କରିବେ।

ମନ୍ଦିର ଭିତରକୁ ଭୋଗ, ଫୁଲ ଏବଂ ଦୀପ ନେବାକୁ ବାରଣ କରାଯାଇଛି। ସେହିପରି ଭକ୍ତ ମନ୍ଦି ଭିତରେ ଥିବା କୌଣସି ମୂର୍ତ୍ତିକୁ ଛୁଇଁପାରିବେ ନାହିଁ। ତମ୍ବାଖୁ କିମ୍ବା ପାନ ଖାଇ ଭକ୍ତ ଛେପ ପକାଇ ପାରିବେ ନାହିଁ। ଏଭଳି କଲେ ୫୦୦ ଟଙ୍କା ଜୋରିମାନା ଦେବାକୁ ହେବ। ଏହା ସହ ମନ୍ଦିର ଭିତରକୁ ପଲିଥିନ ଆଣିଲେ ୧୦୦ ଟଙ୍କା ଜୋରିମାନା ଦେବାକୁ ହେବ। କରୋନା ସ୍ଥିତି ପାଇଁ ୬୫ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତି କିମ୍ବା ଗମ୍ଭୀର ଶାରୀରିକ ସମସ୍ୟା ଥିବା ବ୍ୟକ୍ତି ଓ ଗର୍ଭବତୀ ମହିଳାଙ୍କୁ ମନ୍ଦିର ନଆସିବାକୁ କୁହାଯାଇଛି। ଭକ୍ତଙ୍କୁ ମନ୍ଦିର ପ୍ରବେଶ ପାଇଁ କରୋନା ଟିକାକରଣ ପ୍ରମାଣପତ୍ର ବା ୯୬ ଘଣ୍ଟା ପୂର୍ବର ଆରଟି-ପିସିଆର ନେଗେଟିଭ ରି‌ପୋର୍ଟ ଦେଖାଇବାକୁ ହେବ।