ମାସ୍କ ନ ପିନ୍ଧିଲେ ବିମାନରୁ ଓହ୍ଲାଇବେ ଯାତ୍ରୀ

ନୂଆଦିଲ୍ଲୀ,ଏଜେନ୍ସି: ଡିଜିସିଏର ନୂଆ ଗାଇଡଲାଇନ। ବିମାନ ଯାତ୍ରା ସମୟରେ ମାସ୍କ ପିନ୍ଧିବା ହେଲା ବାଧ୍ୟତାମୂଳକ। ଯାତ୍ରୀ ମାସ୍କ ପିନ୍ଧି ନଥିଲେ ଉଡାଣ ପୂର୍ବରୁ ତାଙ୍କୁ ବିମାନରୁ ଓହ୍ଲାଇ ଦିଆଯିବ। କିଛି ଦିନ ହେବ ଦେଶରେ ପୁଣି କୋରୋନା ସଂକ୍ରମଣ ବଢୁଥିବାରୁ ବୁଧବାର ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ ଏହି ନୂଆ ଗାଇଡଲାଇନ ଜାରି କରାଯାଇଛି। କରୋନା କଟକଣାକୁ ଗୁରୁତ୍ବ ଦିଆଯାଇ ବିମାନ ବନ୍ଦର ଓ ବିମାନ ଯାତ୍ରା ସମୟରେ ମାସ୍କ ପିନ୍ଧିବା ପୁଣିଥରେ ବାଧ୍ୟତାମୂଳକ କରାଯାଇଛି।

ଡିଜିସିଏ ବିମାନ ବନ୍ଦର ଏବଂ ଏୟାରଲାଇନ୍ସଙ୍କୁ ନିର୍ଦ୍ଦେଶ ଦେଇଛି ଯେ, ବିମାନ ଯାତ୍ରା ବେଳେ ଯଦି କୌଣସି ଯାତ୍ରୀ ମାସ୍କ ପିନ୍ଧିବାକୁ ମନା କରନ୍ତି ତାଙ୍କୁ ବିଶୃଙ୍ଖଳିତ ଯାତ୍ରୀ ଭାବେ ଚିହ୍ନଟ କରାଯିବ ଓ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଯେପରି ସମସ୍ତ ବିମାନ ଯାତ୍ରୀ ଯାତ୍ରା ସମୟରେ ଠିକ୍ ଭାବେ ମାସ୍କ ପିନ୍ଧିବେ ଏବଂ ବିମାନ ବନ୍ଦର ଓ ବିମାନଙ୍କୁ ଉପଯୁକ୍ତ ସାନିଟାଇଜେସନ କରାଯିବ ତାହା ସୁନିଶ୍ଚିତ କରିବାକୁ ଗାଇଡଲାଇନରେ କୁହାଯାଇଛି। ଏଥିସହ ବିନା ମାସ୍କରେ ଯେପରି କେହି ଜଣେ ବି ବିମାନ ବନ୍ଦର ଭିତରେ ପ୍ରବେଶ ନ କରନ୍ତି ତାହା ଧ୍ୟାନ ରଖିବାକୁ ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ ଓ ପୋଲିସ କର୍ମୀଙ୍କୁ ନିର୍ଦ୍ଦେଶ ଦେଇଛି ଡିଜିସିଏ।

କିଛି ଦିନ ହେବ ଦେଶରେ ପୁଣି ଉପରମୁହାଁ ହୋଇଛି କୋରୋନା ଗ୍ରାଫ୍। ବୁଧବାର ଦୈନିକ ସଂକ୍ରମଣ ମାମଲା ୫ ହଜାର ଟପିଛି। କୋରୋନାର ଲେଉଟାଣି ପରେ ଏବେ କୋହଳ କଟକଣା ପୁଣି କଡାକଡି ହୋଇଛି। ସଂକ୍ରମଣ ବଢୁଥିବାରୁ ବିମାନ ଯାତ୍ରୀଙ୍କ ପାଇଁ ପୁଣିଥରେ ମାସ୍କ ବାଧ୍ୟତାମୂଳକ କରିଛି ଡିଜିସିଏ।