ମହାଶିବରାତ୍ରୀରେ ହରିଶଙ୍କର ଉତ୍ସବ ମୁଖର, ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକର ପବିତ୍ର ପୁଣ୍ୟକ୍ଷେତ୍ର ହରିଶଙ୍କର ମହାଶିବରାତ୍ରୀ ଅବସରରେ ଉତ୍ସବ ମୁଖର ହୋଇଉଠିଛି । ବାବାଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ସକାଳୁ ସହସ୍ର ଶ୍ରଦ୍ଧାଳୁ ପାପନାଶିନୀ ଝରଣାରେ ସ୍ନାନ କରି ଠାକୁରଙ୍କ ଦର୍ଶନ ପାଇଁ ଲମ୍ବା ଧାଡ଼ିରେ ଘଣ୍ଟା ଘଣ୍ଟା ଧରି ଛିଡ଼ା ହୋଇ ଦର୍ଶନ କରିଥିଲେ । ଏହି ଅବସରରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୁଲିସ ମୁତୟନ ହୋଇଥିଲେ । ଦିନ ତମାମ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଥିବାବେଳେ ସ୍ୱତନ୍ତ୍ର ପୂଜାନୀତି ଅନୁଷ୍ଠିତ ହୋଇଥିଲା । ମଧ୍ୟରାତ୍ରରେ ପୂଜକ ସ୍ୱତନ୍ତ୍ର ପୂଜା କରି ଧ୍ୱଜାରୋହଣ ସହ ମହାଦୀପ ମନ୍ଦିର ଚୂଡ଼ା ଉପରକୁ ଉଠାଯିବ । ମନ୍ଦିର ପ୍ରଶାସନ ଓ ସ୍ଥାନୀୟ ଦୋକାନି ସଂଘ ତରଫରୁ ଉପସ୍ଥିତ ଶ୍ରଦ୍ଧାଳୁଙ୍କୁ ଭୋଗ ବଣ୍ଟାଯାଇଛି । ଠିକ ସମୟରେ ଠାକୁରଙ୍କ ପୂଜାନୀତି ଆୟୋଜିତ ହୋଇଥିବା ମନ୍ଦିର ପୂଜକ ନରସିଂହ ପୁଝାରୀ ପ୍ରକାଶ କରିଛନ୍ତି ।