ଭକ୍ତ ଶୂନ୍ୟ ମନ୍ଦିର, ତୃତୀୟ ସୋମବାରରେ ବାବା ଧବଳେଶ୍ଵରଙ୍କ ପୀଠରେ ୧୪୪ ଧାରା ଜାରି

ଆଠଗଡ଼,ଏନ୍ଏନ୍ଏସ୍: ଆଜି ହେଉଛି କାର୍ତ୍ତିକ ମାସର ତୃତୀୟ ସୋମବାର। ଭକ୍ତ ମାନଙ୍କ ସମାଗମକୁ ଦୃଷ୍ଟିରେ ରଖି ମନ୍ଦିର ପରିସରରେ ୧୪୪ ଧାରା ଜାରି କରିଛି ପ୍ରଶାସନ। ଏହି ଦିନରେ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବା ସହ ମନସ୍କାମନା ପୂର୍ଣ୍ଣ କରିବାର ଗୋଟିଏ ପ୍ରଥା ରହିଛି। ଆଜି ଏହି ଦର୍ଶନରୁ ବଞ୍ଚିତ ରହିବେ ଭକ୍ତ। ରାଜ୍ୟ ସରକାରଙ୍କ କୋଭିଡ ନିୟମକୁ ଆଖିଆଗରେ ରଖି କାର୍ତ୍ତିକ ବ୍ରତଧାରୀ ଓ ଶ୍ରଦ୍ଧାଳୁ ପୀଠକୁ ନଆସିବାକୁ ବାରଣ କରାଯାଇଛି।

ଭୋର ୪ଟାରୁ ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ମନ୍ଦିର ପରିସରରେ ୧୪୪ ଧାରା ଜାରି ହୋଇଥିଲେ ମଧ୍ୟ ଠାକୁରଙ୍କ ସମସ୍ତ ନୀତିକାନ୍ତି ସେବକମାନଙ୍କୁ ନେଇ ସମ୍ପୂର୍ଣ୍ଣ ହେବ ବୋଲି ସୂଚନା ମିଳିଛି। ଭୋର୍ ୪ଟାରୁ ପହଡ ଖୋଲାଯିବା ପରେ ସୁବାସିତ ୧୦୮ ଜଳରେ ବାବାଙ୍କୁ ସ୍ନାନ ପରେ ମଙ୍ଗଳାଆଳତୀ, ସକାଳ ଧୂପ, ଆଦି ସମସ୍ତ ନୀତିକାନ୍ତି ସମ୍ପନ୍ନ କରାଯାଇଛି। ଏହି କାର୍ଯ୍ୟରେ କୌଣସି ଭକ୍ତ ନଥିବାରୁ ମନ୍ଦିର ସମ୍ପୂର୍ଣ୍ଣ ଭକ୍ତ ଶୂନ୍ୟ ହୋଇପଡ଼ିଛି।