ଦେବୀ ଦାନ୍ତେଶ୍ୱରୀ ଭୈରବ ମାତା ମନ୍ଦିରର ପ୍ରତିଷ୍ଠା ଉତ୍ସବ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଧାମନାଗୁଡ଼ାରେ ପ୍ରସିଦ୍ଧ ଦେବୀ ଦାନ୍ତେଶ୍ୱରୀ ଭୈରବ ମାତା ମନ୍ଦିର ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିଲାଗି ୯ଦିନ ଧରି ଯଜ୍ଞ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ଯଜ୍ଞକୁ ମହିମା ଅବଲମ୍ବୀ ବକଳଧାରୀ ଏବଂ କୌଫିନଧାରୀ ବାବାମାନେ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ୨ଟି ରାଜ୍ୟ ତଥା ଓଡ଼ିଶାର ୫ଟି ଜିଲ୍ଲା ନବରଙ୍ଗପୁର, କୋରାପୁଟ, ମାଲକାନଗିରି, କଳାହାଣ୍ଡି, ନୂଆପଡ଼ା ଓ ଛତିଶଗଡ଼ର ୫ଟି ଜିଲ୍ଲା ବସ୍ତର, ବିଜାପୁର, ଦାନ୍ତେବାଡା, ସୁକମା ଓ ଜଗଦଲପୁରର ଭତରା ସମାଜର ସମସ୍ତ ଜନସାଧାରଣ ଯୋଗ ଦେଇଥିଲେ । ଭତରା ସମାଜର ପରମ୍ପରା ଅନୁଯାୟୀ ଲାଖବିନ୍ଧା ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ନବରଙ୍ଗପୁର ବଡ଼ବାସିନୀ ଗ୍ରାମର କୈବଲ୍ୟ ରନ୍ଧାରୀ ବିଜେତା ହୋଇଥିଲେ । ଏହି ପ୍ରତିଷ୍ଠା ଉତ୍ସବ ସ୍ଥାନୀୟ ନେତା ଗୋପାଳ ପୂଜାରୀଙ୍କ ତତ୍ୱାବଧାନରେ ସାଂସଦ ରମେଶ ମାଝୀ, ଝରିଗାଁ ବିଧାୟକ ପ୍ରକାଶ ମାଝୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ପୂର୍ବତନ ବିଧାୟକ ଭୁଜବଳ ମାଝୀ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ପୂର୍ବତନ ସାଂସଦ ଭଗବାନ ମାଝୀ, ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ, ଝରିଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମାଝୀଙ୍କ ସମେତ ଭତରା ସମାଜର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଓ ସିରା ପୂଜାରୀ ଯୋଗ ଦେଇଥିଲେ । ବିଭିନ୍ନ ଗ୍ରାମରୁ ଦେବାଦେବୀ ପାଲିଙ୍କି ସହିତ ଲାଠି ମଧ୍ୟ ଆସିଥିଲା । ୯ଦିନ ଧରି ସମସ୍ତ ଜନସାଧାରଣଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।