ଅନଲାଇନ୍ ପରୀକ୍ଷା ଦାବିରେ ପଲିଟେକନିକ୍ ଛାତ୍ରଙ୍କ ଧାରଣା

ଦେବଗଡ଼,ଏନ୍ଏନ୍ଏସ୍ : ଅଫଲାଇନ୍ ପରୀକ୍ଷାକୁ ବିରୋଧ କରି ସରକାରୀ ପଲିଟେକନିକ୍ ଛାତ୍ରମାନେ ଶିକ୍ଷାନୁଷ୍ଠାନ ପରିସରରେ ଧାରଣା ଦେବାସହ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସୂଚନା ଅନୁଯାୟୀ, ଦେବଗଡ଼ ପୌରାଞ୍ଚଳରେ ଥିବା ସରକାରୀ ପଲିଟେକିନିକ ରେ ଆସନ୍ତାକାଲି ଠାରୁ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଅଫଲାଇନରେ ପରୀକ୍ଷା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବାବେଳେ ଆଜି ପୂର୍ବାହ୍ନରେ ଛାତ୍ରମାନେ ଅଫଲାଇନ ପରିବର୍ତ୍ତେ ଅନଲାଇନରେ ପରୀକ୍ଷା କରାଯିବାକୁ ଦାବି କରିଥିଲେ। ଅଧ୍ୟକ୍ଷ ଇଂ ପ୍ରୀୟ ରଞ୍ଜନ ସାମନ୍ତରାୟଙ୍କୁ ଜଣାଇବା ପରେ ଏହା କାଉନସିଲର ନିର୍ଦ୍ଦେଶ ବୋଲି କହିଥିଲେ। ଏନେଇ କାଉନସିଲର ଦୃଷ୍ଟି ଆକର୍ଷଣ କରାଯିବ କରିବା ପରେ ଯାହା ନିର୍ଦ୍ଦେଶ ଆସିବ ତଦନୁଯାୟୀ ପରୀକ୍ଷା କରାଯିବ ବୋଲି ଛାତ୍ରମାନଙ୍କୁ ବୁଝାଇଥିଲେ। ମାତ୍ର ଛାତ୍ରମାନେ ଅଧ୍ୟକ୍ଷଙ୍କ ଆଶ୍ୱାସନାରେ ସନ୍ତୁଷ୍ଟ ନ ହୋଇ କାର୍ଯ୍ୟାଳୟ ସମ୍ମୁଖରେ ପ୍ରବଳ ଖରା ସତ୍ୱେ ବସି ରହି ବିଭିନ୍ନ ସ୍ଲୋଗାନ ଦେବାସହ ଅନଲାଇନ ପରୀକ୍ଷା କରାଯିବା ଏବଂ ପଲିଟେକ୍ନିକ ପରିସରରେ ଚାଲୁଥିବା କୋଭିଡ -୧୯ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଦାବି କରିଥିଲେ। ଏ ସମ୍ପର୍କରେ ଅଧ୍ୟକ୍ଷ ଶ୍ରୀ ସାମନ୍ତରାୟଙ୍କ ମତାମତ ନେବାରୁ ଛାତ୍ରମାନେ ଅବୁଝା ହେଉଥିଲେ ମଧ୍ୟ ଏ ସମସ୍ୟାର ସମାଧାନ ପାଇଁ ଅନୁଷ୍ଠାନ ପକ୍ଷରୁ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଥିବା ସେ ସୂଚନା ଦେଇଥିଲେ। କୋଭିଡ-୧୯ ସ୍ୱାସ୍ଥ୍ୟକେନ୍ଦ୍ର ସ୍ଥାପନ ଓ ପରିଚାଳନା ଜିଲ୍ଲା ପ୍ରଶାସନ ହାତରେ ଥିବାରୁ ଏହାର ସ୍ଥାନାନ୍ତର ଜିଲ୍ଲା ପ୍ରଶାସନ ହାତରେ ବୋଲି କହିଥିଲେ।