ମତ୍ସ୍ୟଜୀବୀଙ୍କ ହାତରେ ଫୁଟିଲା ଡାଇନାମାଇଟ୍, ଛିଣ୍ଡିଗଲା ପାପୁଲି

ଦେବଗଡ଼,ଏନ୍ଏନ୍ଏସ୍: ମାଛ ଧରିବା ପାଇଁ ପାଣିରେ ଡାଇନାମାଇଟ ଖଞ୍ଜୁଥିବା ସମୟରେ ଏହା ଫୁଟିଯିବାରୁ ଜଣେ ମତ୍ସ୍ୟଜୀବୀଙ୍କ ଡାକାଣ ହାତର ପାପୁଲି ସମ୍ପୂର୍ଣ୍ଣ ଛିଣ୍ଡି ଯାଇଛି। ସୂଚନା ଅନୁଯାୟୀ, କୁଣ୍ଢେଇଗୋଳା ଥାନା ଖଇରପାଲି ଫାଣ୍ଡି ପୋଡ଼ାଡିହୀ ଗ୍ରାମର ଭୀଷ୍ମ ପେଣ୍ଠେଇ(୪୫) ଗତକାଲି ମାଛ ମାରିବାକୁ ନିକଟସ୍ଥ ରେଙ୍ଗାଳି ନଦୀବନ୍ଧ ଜଳଭଣ୍ଡାରକୁ ଯାଇଥିଲେ। ମାଛ ଧରିବା ପାଇଁ ସେ ପାଣିରେ ଡାଇନାମାଇଟ ଖଞ୍ଜୁଥିବାବେଳେ ଏହା ଫୁଟିଯାଇଥିଲା। ବିଷ୍ଫୋରଣ ଶବ୍ଦ ଶୁଣି ଗ୍ରାମବାସୀ ତାଙ୍କୁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରୁ ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।।