ଦେବଗଡ଼,ଏନ୍ଏନ୍ଏସ୍: ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଗଣେଶ ମେଳା ଆୟୋଜନ ପାଇଁ ଜଣାଶୁଣା ଦେବଗଡ଼ ସାର୍ବ ଜନୀନ ଗଣେଶ ମେଳା କମିଟି ପକ୍ଷରୁ ଚଳିତ ବର୍ଷ ଗଣେଶ ମେଳାର ଆୟୋଜନ କରାଯାଇଛି। ଗତକାଲି ନୁଆଁଖାଇ ଅବସରରେ ସକାଳୁ ପ୍ରବଳ ଉତ୍ସାହସହ ଶ୍ରଦ୍ଧାଳୁ ମାନେ ପୂଜା ମଣ୍ଡପରେ ପହଞ୍ଚି ଅଗ୍ରପୂଜ୍ୟ ପ୍ରଭୁ ଗଜାନନଙ୍କ ପୂଜା ଆରାଧନା କରିଥିବା ଦେଖିବାକୁ ମିଳିଥିଲା। ଖୋଦ ଜିଲ୍ଲାପାଳ ସୌମେଶ କୁମାର ଉପାଧ୍ୟାୟ ସପରିବାର ପୂଜା ମଣ୍ଡପରେ ଆଗ୍ରପୂଜ୍ୟ ଶ୍ରୀ ଗଣେଶଙ୍କ ଆଶିଷ ଭିକ୍ଷା କରିଥିବା ଦେଖିବାକୁ ମିଳିଥିଲା। ଆୟୋଜକ କମିଟି ସଭାପତି ଶମ୍ଭୁନାଥ ଗୋଏଲ ସପତ୍ନୀକ କର୍ତ୍ତା ଭାବେ ପୂଜା ଦାୟିତ୍ୱ ନିର୍ବାହ କରୁଥିବା ବେଳେ ୩ ଜଣ ପୂଜକ ପୂଜା ବିଧି ସଞ୍ଚାଳନ ପାଇଁ ନିୟୋଜିତ ରହିଛନ୍ତି।
ପୂଜା ମଣ୍ଡପ ସ୍ଥଳରେ ପାର୍ଶ୍ଵ ଦେବାଦେବୀ ସହ ବିଭିନ୍ନ ସଚେତନତା ମୂଳକ କଳାକୃତି ପ୍ରଦର୍ଶିତ କରାଯାଉଛି। ମେଳା ଆୟୋଜକ ପକ୍ଷରୁ ଶ୍ରଦ୍ଧା ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନ ପ୍ରସାଦର ବ୍ୟବସ୍ଥା କରାଯାଇଥିବା ବେଳେ ମନୋରଞ୍ଜନ ପାଇଁ ଦୋଳି, ମୀନା ବଜାର, ମେଲୋଡି, ଅପେରା ଆଦିର ବ୍ୟବସ୍ଥା କରାଯାଇଛି। କରୋନା କଟକଣା ପାଇଁ ଦୀର୍ଘ ୨ ବର୍ଷ ମେଳା ଆୟୋଜନ ହୋଇ ପାରିନଥିବା ବେଳେ ଚଳିତ ବର୍ଷ ମେଳା ଆୟୋଜନ ହୋଇଥିବାରୁ ଜନ ସାଧାରଣଙ୍କ ମଧ୍ୟରେ ବିପୁଳ ଉତ୍ସାହ ଦେଖିବାକୁ ମିଳିଛି।