୩୭୦ ଗ୍ରାମକୁ ବାଲ୍ୟବିବାହ ମୁକ୍ତ ଘୋଷଣା କରି ଇତିହାସ ରଚିଲା ଦେବଗଡ଼ ଜିଲ୍ଲା

ଦେବଗଡ଼,ଏନ୍ଏନ୍ଏସ୍: ଜାତୀୟ ପରିବାର ଓ ସ୍ୱାସ୍ଥ୍ୟ ସର୍ବେକ୍ଷଣ-୪ ଅନୁଯାୟୀ ଓଡିଶା ରାଜ୍ୟ ବାଲ୍ୟବିବାହ ହାର ୨୧.୩% ଥିବା ବେଳେ ଦେବଗଡ଼ ଜିଲ୍ଲାର ହାର ୨୩.୪% ରହି ଆସିଛି। ବାଲ୍ୟବିବାହ ଭଳି ଏକ କୁପ୍ରଥା ଓ ବେଆଇନ କାର୍ଯ୍ୟର ନିରାକରଣ ପାଇଁ ବିଗତ କିଛି ବର୍ଷ ହେଲା ଦେବଗଡ ଜିଲ୍ଲାରେ ପ୍ରଶାସନ ପକ୍ଷରୁ ବିଭିନ୍ନ ଜନସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଆସିଛି। କିଛି ଅମାନିଆ ଅଭିଭାବକମାନଙ୍କୁ ସୁଧାରିବାକୁ ମଧ୍ୟ ୨୦୧୯ରେ ମୋଟ ୩୯ଟି ଓ ୨୦୨୦ରେ ମୋଟ ୪୨ଟି ବାଲ୍ୟବିବାହକୁ ପୁଲିସ, ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଓ ଚାଇଲ୍ଡଲାଇନ ମିଳିତ ଚଢ଼ଉ କରି ବନ୍ଦ କରିଛି। ୨୦୩୦ ସୁଧା ରାଜ୍ୟକୁ ସମ୍ପୂର୍ଣ୍ଣ ରୂପେ ବାଲ୍ୟବିବାହ ମୁକ୍ତ କରିବା ପାଇଁ ରାଜ୍ୟ ସରକାର ମଧ୍ୟ ରଣନୀତି ଓ ଯୋଜନା ପ୍ରସ୍ତୁତ କରି ଜିଲ୍ଲାପାଳମାନଙ୍କୁ ଜିଲ୍ଲା ସ୍ତରରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଜାତୀୟ ପରିବାର ଓ ସ୍ୱାସ୍ଥ୍ୟ ସର୍ବେକ୍ଷଣର ବିବରଣୀ ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ଆଖିରେ ରଖି ଦେବଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ଅନୁଷ୍ଠାନ ଓ ପୁଲିସର ସହଯୋଗରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପ।ତ୍ର ଓ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ସ୍ଵର୍ଣ୍ଣଲତା ବିଶ୍ୱାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆଇ.ସି.ଡି.ଏସ ସୁପରଭାଇଜର ଓ ଚାଇଲ୍ଡଲାଇନ କର୍ମକର୍ତ୍ତାଙ୍କ ଉଦ୍ୟମରେ ଗ୍ରାମ୍ୟ, ପଞ୍ଚାୟତ, ବ୍ଲକ୍ ଓ ଜିଲ୍ଲା ସ୍ତରରେ ସରପଞ୍ଚ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବାଲ୍ୟବିବାହ ବିରୋଧ ଟାସ୍କ ଫୋର୍ସ ଗଠନ କରାଯାଇଛି। ଏଠାରେ ସୂଚନା ଯୋଗ୍ୟ କି ଗତବର୍ଷ ଅତିରିକ୍ତ ଜିଲ୍ଲାପାଳ ଧରମ ହଂସଦାଙ୍କ ନେତୃତ୍ଵରେ ଏକ ୩୦ ଦିନିଆ “ବାଲ୍ୟବିବାହକୁ ନା” ଶୀର୍ଷକ ସ୍ଵତନ୍ତ୍ର ଅଭିଯାନ ଜିଲ୍ଲାର ପ୍ରତ୍ୟେକ ଗ୍ରାମକୁ ଲୋକଙ୍କୁ ସଚେତନ କରିବା ପାଇଁ ପହଞ୍ଚି ପାରିଥିଲା।

ପରବର୍ତ୍ତୀ ସମୟରେ ବାଲ୍ୟବିବାହ ମୁକ୍ତ ଗ୍ରାମ ଅଭିଯାନକୁ ସଫଳ କରିବାପାଇଁ ବିଭିନ୍ନ ଗ୍ରାମରେ ଟାସ୍କ ଫୋର୍ସର ବୈଠକରେ ଆଲୋଚନା ହୋଇ ସରପଞ୍ଚଙ୍କ ଅନୁମୋଦନରେ ବ୍ଲକ୍ ଟାସ୍କ ଫୋର୍ସର ବୈଠକରେ ସମୀକ୍ଷା କରାଯାଇଥିଲା। ବ୍ଲକ ଟାସ୍କ ଫୋର୍ସର ଅଧ୍ୟକ୍ଷ ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିବ୍ୟ ଶଙ୍କର ଜୟପୁରିଆ, ଟୁନୁ ମେହେର ଓ କୃଷ୍ଣ ଚନ୍ଦ୍ର ଦଳପତି, ସରପଞ୍ଚଙ୍କ ଠାରୁ ଆସିଥିବା ଦାବିପତ୍ରକୁ ସମୀକ୍ଷା କରି ଜିଲ୍ଲା ପ୍ରଶାସନକୁ ଅନୁମୋଦନ ପାଇଁ ପ୍ରେରଣ କରିଥିଲେ।

ବ୍ଲକ ଟାସ୍କ ଫୋର୍ସର ପ୍ରସ୍ତାବକୁ ସମୀକ୍ଷା କରି ଜିଲ୍ଲା ଟାସ୍କ ଫୋର୍ସରେ ଗୃହୀତ ହେବାପରେ ଜିଲ୍ଲାପାଳ ଶ୍ରୀ ସାମଲ ତିଳେଇବଣୀ ବ୍ଲକର ୧୧୨, ବ।ରକୋଟର ୧୦୫ ଓ ରିଆମାଳର ୧୫୩ ଗ୍ରାମକୁ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଘୋଷଣା କରିଥିଲେ। ଏଥିସହିତ ଜିଲ୍ଲାର ୩୭୦ ଗ୍ରାମ ବାଲ୍ୟ ବିବାହ ମୁକ୍ତ ଘୋଷିତ ହେଲା ବୋଲି ରାଜ୍ୟ ସରକାରଙ୍କୁ ସୂଚିତ କରିଥିଲେ। ଆଗାମୀ ଦିନରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରି ଅବଶିଷ୍ଟ ଗ୍ରାମ ଗୁଡିକୁ ବାଲ୍ୟବିବାହ ମୁକ୍ତ କରି ସମ୍ପୂର୍ଣ୍ଣ ଦେବଗଡ଼ ଜିଲ୍ଲାକୁ ବାଲ୍ୟବିବାହ ମୁକ୍ତ ଜିଲ୍ଲା ଭାବେ ପରିଚୟ ଦେବାକୁ ପ୍ରୟାସ କରାଯିବ ବୋଲି ବିଭାଗୀୟ ପକ୍ଷରୁ ସୂଚନା ଦିଆଯାଇଛି।