ଦେବଗଡ଼ରେ ବିଜେଡିର ୨୪ ତମ ପ୍ରତିଷ୍ଠା ଦିବସ ପାଳିତ

ଦେବଗଡ଼,ଏନ୍ଏନ୍ଏସ୍: ସ୍ଥାନୀୟ ପ୍ରଧାନପାଟ ସ୍ଥିତ ବସନ୍ତ ନିବାସ ଡାକ ବଙ୍ଗଳାଠାରେ ଆଜି ବିଜୁ ଜନତା ଦଳର ୨୪ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ସଭାପତି ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଦଳୀୟ କର୍ମୀମାନେ ଏକ ଶୋଭାଯାତ୍ରାରେ ବାହାରି ଶିଶୁ ଉଦ୍ୟାନସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପରେ ଆୟୋଜିତ ସଭାରେ ଦଳର ପ୍ରତିଷ୍ଠାତା ନବୀନ ପଟ୍ଟନାୟକଙ୍କ ଶ୍ରେଷ୍ଠ ଓଡିଶା ଗଠନ ସ୍ୱପ୍ନକୁ ସାକାର କରିବା ପାଇଁ ଦେବଗଡ଼ ଜିଲ୍ଲାକୁ ଏକ ଶ୍ରେଷ୍ଠ ଜିଲ୍ଲା ଭାବେ ଗଢି ତୋଳିବାକୁ ଦଳୀୟ କର୍ମୀ ମାନଙ୍କୁ ଆହ୍ୱାନ ଦିଆଯାଇଥିଲା।

ଏହି ଅବସରରେ ଜିଲ୍ଲା ପରିଷଦ ସଦସ୍ୟା ନିଶାନୀ ବେହେରା, ଜିଲ୍ଲା ବିଜୁ କୃଷକ ସେଲ ସଭାପତି ଇଂ ଚିତ୍ତରଞ୍ଜନ ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଇଂ ସୁଜିତ କୁମାର ପ୍ରଧାନ, ରିଆମଳ ବ୍ଲକ୍ ସଭାପତି ବୈକୁଣ୍ଠ ପାଇକରାୟ, ବାରକୋଟ ବ୍ଲକ୍ ସଭାପତି ହୀରାଧର ସାହୁ, ତିଲେଇବଣୀ ବ୍ଲକ୍ ସଭାପତି ବାବୁଲାଲ ପୃଷେଠ, ନଗର ସଭାପତି ଶୁକଦେବ ଭଞ୍ଜ, ଜିଲ୍ଲା ଯୁବ ସଭାପତି ପ୍ରତାପ କୁମାର ଦେବ, ପୂର୍ବତନ ଜିଲ୍ଲା ସମ୍ପାଦକ ବିଷ୍ଣୁ ପ୍ରସାଦ ଅମାତ୍ୟ, ରିଆମାଳ ସରପଞ୍ଚ ତରଣୀସେନ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ପ୍ରଦାନ କରିଥିଲେ।

ଏହି ଅବସରରେ ଦେବଗଡ଼ ଜିଲ୍ଲାର ୬ ଜଣ କରୋନା ଯୋଦ୍ଧାଙ୍କୁ ସମ୍ମାନିତ କରାଯାଇଥିଲା। ସେହିପରି ଜୀବନ ବିନ୍ଦୁ ଓ ଓଡିଶା ମୋ’ ପରିବାର ପକ୍ଷରୁ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା। ଏହି ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ୫୦ରୁ ଊର୍ଦ୍ଧ୍ୱ ଦଳୀୟ କର୍ମୀ ରକ୍ତଦାନ କରିଥିଲେ। ସଭା ପୂର୍ବରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା। ବିଜେଡିର ବରିଷ୍ଠ କର୍ମୀ ତଥା ନିର୍ବାଚନ ଅଧିକାରୀ କାମାକ୍ଷା ପ୍ରସାଦ ଗଙ୍ଗଦେବ ସଭାକାର୍ଯ୍ୟ ପରିଚାଳନା କରିଥିଲେ।