ବିଡିଓ ଓ ଚ୍ୟାୟାରମେନ ହାତାହାତି : ଥାନାରେ ମାମଲା

ଦେବଗଡ଼,ରିଆମାଳ,ଏନ୍ଏନ୍ଏସ୍: କୌଣସି କଥାକୁ ନେଇ ରିଆମାଳ ବ୍ଲକ୍ ଅଧ୍ୟକ୍ଷା ଏବଂ ବିଡିଓ ହତାହାତି ହୋଇ ମାମଲା ଥାନାରେ ପହଞ୍ଚି ଥିବାଜଣାପଡିଛି। ସୂଚନା ଅନୁଯାୟୀ, ଆଜି ପୂର୍ବାହ୍ନରେ ରିଆମାଳ କଲ୍ୟାଣମଣ୍ଡପ ଠାରେ ପ୍ରଶାସନ ପକ୍ଷରୁ ଭିନ୍ନକ୍ଷମ ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିରରେ ଅତିଥି ଭାବେ ରିଆମାଳ ବ୍ଲକ୍ ଅଧ୍ୟକ୍ଷା ରିତାଞ୍ଜଳୀ ହାତୀ, ଉପାଧ୍ୟକ୍ଷ ବୈକୁଣ୍ଠ ନାଥ ପାଇକରାୟ, ବିଡିଓ ଦିବ୍ୟ ଶଙ୍କର ଜୟପୁରିଆ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପରେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ହାତୀ ବ୍ଲକ ଉପାଧ୍ୟକ୍ଷ ଶ୍ରୀ ପାଇକରାୟଙ୍କ ସମେତ ଏକାଧିକ ସମିତି ସଦସ୍ୟମାନେ ବିଡିଓ ଶ୍ରୀ ଜୟପୁରିଆଙ୍କୁ ରିଆମାଳ ପଞ୍ଚାୟତ ସମିତିର କେତେକ ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ଆଲୋଚନା ପାଇଁ ଅନୁରୋଧ କରିବାରୁ ବିଡିଓ ଅଧ୍ୟକ୍ଷାଙ୍କୁ ଦୁର୍ବ୍ୟବହାର କରିବା ସହ ‘ମୁଁ ଜିଲ୍ଲାପାଳଙ୍କ ନିଜ ଲୋକ, ‘ତୁ ମୋର କିଛି କରିପାରିବୁନି’ କହି ଧକ୍କାଦେଇ ବାହାରକୁ ଠେଲି ଦେଇଥିଲେ। ଏହାସହ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଇଥିଲେ।

ଏନେଇ ବ୍ଲକ୍ ଅଧ୍ୟକ୍ଷା ରିଆମାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ରିଆମାଳ ପୁଲିସ ବିଡିଓଙ୍କ ବିରୋଧରେ ମାମଲା ରୁଜୁ କରିଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି। ଘଟଣା ସମ୍ପର୍କରେ ବିଡିଓ ଶ୍ରୀ ଜୟପୁରିଆଙ୍କ ମତାମତ ନେବାରୁ ବ୍ଲକ ଅଧ୍ୟକ୍ଷା ତାଙ୍କୁ ବେନିୟମ କାର୍ଯ୍ୟ କରିବାକୁ ଚାପ ପକାଉଥିବାରୁ ସେ ଏହା ନ କରିବାରୁ ଏଭଳି ଅଭିଯୋଗ କରିଥିବା କହିିଥିଲେ। ସେହିପରି ତାଙ୍କ ନାମରେ ମାମଲା ରୁଜୁ ହେଲେ ବ୍ଲକ କାର୍ଯ୍ୟାଳୟରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି।