ମଧ୍ୟପ୍ରଦେଶ ଫେରିଗଲା ସୁନ୍ଦରୀ

ଅନୁଗୁଳ,ଏନ୍ଏନ୍ଏସ୍: ଅନୁଗୁଳ ଜିଲ୍ଲାର ସାତକୋଶିଆ ଅଭୟାରଣ୍ୟ ଓ ବ୍ୟାଘ୍ର ପ୍ରକଳ୍ପରୁ ବାଘୁଣୀ ‘ସୁନ୍ଦରୀ’ ଫେରିଯାଇଛି। ମଙ୍ଗଳବାର ଅପରାହ୍ନରେ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରାଯାଇଥିଲା। ପରେ ତାକୁ ଯନ୍ତାରେ ଭର୍ତ୍ତି କରାଯାଇ ମଧ୍ୟପ୍ରଦେଶ କାହ୍ନା ବ୍ୟାଘ୍ର ଅଭୟାରଣ୍ୟର ଘୋରେଲାକୁ ନିଆଯାଉଛି। ବୁଧବାର ଅପରାହ୍ଣରେ ସୁନ୍ଦରୀ ସେଠାରେ ପହଞ୍ଚିବ। ସୁନ୍ଦରୀକୁ ଛାଡ଼ିବା ପାଇଁ ସାତକୋଶିଆରୁ ବନବିଭାଗର ଏକ ଟିମ୍ ମଧ୍ୟ ସେଠାକୁ ଯାଉଛି। ସୁନ୍ଦରୀ ଫେରିଯିବା ପରେ ଅଭୟାରଣ୍ୟ ଅଞ୍ଚଳରେ ୨ବର୍ଷ ଧରି ଲାଗି ରହିଥିବା ବିଭିନ୍ନ କଳ୍ପନାଜଳ୍ପନାର ଅନ୍ତ ଘଟିଛି।
ସୂଚନାଯୋଗ୍ୟ ଯେ, ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରାଯିବା ପରେ ତାକୁ ସୁରକ୍ଷିତ ଭାବେ ଏକ ସ୍ୱତନ୍ତ୍ର ଯନ୍ତାରେ ରଖାଯାଇଥିଲା। ଟ୍ରାଙ୍କୁଲାଇଜର ପ୍ରାୟ ୧୫ ମିନିଟ ପରେ ଚେତା ଫେରିଥିଲା ସୁନ୍ଦରୀର। ସୁନ୍ଦରୀର ଓଜନ ୧ କ୍ୱିଣ୍ଟାଲ ୬୦ କେଜି ରହିଛି। ସୁନ୍ଦରୀକୁ ନେବା ପାଇଁ ଆସିଥିବା ୭ ଜଣିଆ ଟିମ୍ ସହିତ ସାତକୋଶିଆ ଏସିଏଫ ସରୋଜ କୁମାର ପଣ୍ଡାଙ୍କ ନେତୃତ୍ୱରେ ଅନୁଗୁଳରୁ ଏକ ଟିମ୍ ବାଘୁଣୀ ସହ ସେଠାକୁ ଯାଇଛି। କାହ୍ନା ଅଭୟାରଣ୍ୟର ଏକ ସ୍ୱତନ୍ତ୍ର ଯାନରେ ବାଘୁଣୀ ଥିବା ଯନ୍ତାକୁ ରଖାଯାଇଛି। ସନ୍ଧ୍ୟାରେ ଗାଡ଼ି ମଧ୍ୟପ୍ରଦେଶ କାହ୍ନା ବ୍ୟାଘ୍ର ଅଭୟାରଣ୍ୟର ଘୋରେଲା ଅଭିମୁଖେ ଯାତ୍ରା ଆରମ୍ଭ କରିଛି।