ଅଚଳାବସ୍ଥାରେ ସ୍ୱାସ୍ଥ୍ୟ ବିଭାଗ, ସାଂସଦଙ୍କ ଅନଶନ ଚେତାବନୀ

ଦେବଗଡ଼, ଏନ୍ଏନ୍ଏସ୍: ଜନସାଧାରଣଙ୍କୁ ହାତ ପାହାନ୍ତାରେ ସ୍ୱାସ୍ଥ୍ୟସେବା ଯୋଗାଇଦେଉଥିବା ରାଜ୍ୟ ସରକାର ଡିଣ୍ଡିମ ପିଟୁଥିବାବେଳେ ଦେବଗଡ଼ ଜିଲ୍ଲାରେ ସ୍ୱାସ୍ଥ୍ୟସେବା ପ୍ରତି ସରକାରଙ୍କ ବୈମାତୃକ ମନୋଭାବ ଯୋଗୁଁ ଜିଲ୍ଲାରେ ସ୍ୱାସ୍ଥ୍ୟସେବା ଅଚଳାବସ୍ଥାରେ ପହଞ୍ଚିଲାଣି। ଏହାର ପ୍ରତିବାଦରେ ସାଂସଦ ନିତେଶ ଗଙ୍ଗଦେବ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହ ଏହାର ତୁରନ୍ତ ସମାଧାନ କରାନଗଲେ ଆଗାମୀ ଦିନରେ ସେ ଅନଶନରେ ବସିବାର ଚେତାବନୀ ଦେଇଛନ୍ତି। ଘରୋଇ ଡାକ୍ତର ନ ଥିବା ଦେବଗଡ଼ ଜିଲ୍ଲାର ଜନସାଧାରଣ ସରକାରୀ ଡାକ୍ତରଖାନା ଉପରେ ନିର୍ଭର କରୁଥିବା ବେଳେ ପଡୋଶୀ ସମ୍ବଲପୁର ଜିଲ୍ଲା , ସୁନ୍ଦରଗଡ଼ ଜିଲ୍ଲା ଓ ଅନଗୁଳ ଜିଲ୍ଲାର ସୀମାନ୍ତବର୍ତ୍ତୀ ଗ୍ରାମର ଜନସାଧାରଣ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରେ ନୀର୍ଭରଶୀଳ। ଦେବଗଡ଼ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ସମେତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକ ମିଶାଇ ଦେବଗଡ ଜିଲ୍ଲା ପାଇଁ ୪୦ ବିଶେଷଜ୍ଞ ପଦବି ପାଇଁ ସରକାରଙ୍କ ମଞ୍ଜୁରୀ ରହିଥିବାବେଳେ ସେଥିମଧ୍ୟରୁ ୨୪ ପଦବି ଖାଲି ରହିଥିବା ଜଣାପଡିଛି। ସେହିପରି ୯ଜଣ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସ୍ଥାନରେ ୬ ପଦବି ଖାଲି ରହିଥିବାବେଳେ ୨୯ ଜରୁରୀକାଳୀନ ସ୍ୱାସ୍ଥ୍ୟ ଅଧିକାରୀ ସ୍ଥଳେ ୨୪ ପଦବି ଖାଲି ରହିଛି। ସେହିପରି ୫ ଆସିଷ୍ଟାଣ୍ଡ ସର୍ଜନଙ୍କ ସ୍ଥାନରେ ୩ ପଦବି ଖାଲି ରହିଛି। ସେହିପରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମଧ୍ୟରେ ବାରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୧ପଦବି ସ୍ଥାନରେ ୨ ଜଣ ଡାକ୍ତର ରହିଥିବା ବେଳେ ବମ୍ପରଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୧ପଦବି ଥିଲେ ମଧ୍ୟ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତର ଶୂନ୍ୟ ରହିଛି। ସେହିପରି ତିଲେଇବଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୦ ପଦବି ସ୍ଥାନରେ ୯ ପଦବି ଖାଲି ରହିଥିବା ବେଳେ ଛତାବର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୧ପଦବି ସ୍ଥାନରେ ୯ ପଦବି ଖାଲି ରହିଛି।


ସେହିପରି ପଳସମା, କଣ୍ଟାପାଲି ଏବଂ ଲଇମୁରା ଭଳି ଦୁର୍ଗମ ଅଞ୍ଚଳରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ଗୋଟିଏ ଲେଖାଏଁ ଡାକ୍ତର ପଦବି ରହିଥିଲେ ମଧ୍ୟ ଏହି ସବୁ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକ ଡାକ୍ତର ଶୂନ୍ୟ ରହିଛି। ସେହିପରି ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨୪ ଡାକ୍ତର ପଦବି ରହିଥିବାବେଳେ ବର୍ତ୍ତମାନ ୧୮ ଡାକ୍ତରଙ୍କୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଚାଲୁଥିବା ବେଳେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମାରେ ଦେବଗଡ ଜିଲ୍ଲା ମୁଖ୍ୟଚିକିତ୍ସାଳୟରୁ ଭେଷଜ ବିଭାଗ, ଅସ୍ଥିଶଲ୍ୟ ବିଭାଗ, ଶିଶୁ ବିଭାଗ, ସ୍ତ୍ରୀ ଓ ପ୍ରସୂତି ବିଭାଗ , ରକ୍ତ ଭଣ୍ଡାର ଅଧିକାରୀ ଓ ଜଣେ ଏଡିଏମଓଙ୍କ ସ୍ଥାନରେ କୌଣସି ଡାକ୍ତରଙ୍କୁ ଅବସ୍ଥାପିତ ନ କରି ହଠାତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଅନ୍ୟତ୍ର ବଦଳି ଆଦେଶ ଆସିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବର୍ତ୍ତମାନ ୨୪ ଜଣ ଡାକ୍ତରଙ୍କ ସ୍ଥାନରେ ୯ଜଣ ଡାକ୍ତର ରହିଛନ୍ତି। ସାଂସଦ ଶ୍ରୀ ଗଙ୍ଗଦେବ ରାଜ୍ୟ ସରକାରଙ୍କ ଦେବଗଡ଼ ଜିଲ୍ଲାପ୍ରତି ଏଭଳି ମନୋଭାବକୁ ସମାଲୋଚନା କରିବା ସହ ବଦଳି ହୋଇଥିବା ଡାକ୍ତରଙ୍କ ବଦଳି ବାତିଲ ସହ ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରେ ଖାଲିପଡିଥିବା ଡାକ୍ତର ପଦବି ପୂରଣ କରି ଜିଲ୍ଲାବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ନ ଯୋଗାଇଲେ ସେ ଆଗାମୀ ଦିନରେ ଅନଶନ କରିବାର ଚେତାବନୀ ଦେବା ସହ ଆନ୍ଦୋଳନକୁ ଓହ୍ଲାଇବେ ବୋଲି କହିଛନ୍ତି।