ଚାଷୀଙ୍କ ସମସ୍ୟାର ସମାଧାନ ଦାବିରେ ଜିଲ୍ଲା ବିଜେପିର ଗଣଧାରଣା

ଦେବଗଡ଼,ଏନ୍ଏନ୍ଏସ୍: ପଶ୍ଚିମ ଓଡିଶାର ବିଭିନ୍ନ ସ୍ଥାନରେ ଖୋଲା ଯାଇଥିବା ମଣ୍ଡିର ଅବ୍ୟବସ୍ଥା ଏବଂ ଦେଖା ଦେଇଥିବା ଚାଷୀଙ୍କ ସମସ୍ୟା ସମାଧାନ ଦାବିରେ ଦେବଗଡ଼ ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଲୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି। ରାଜ୍ୟ ସରକାରଙ୍କ ଚାଷୀ ବିରୋଧି ମନୋଭାବ ସହ ଚାଷୀ ଙ୍କୁ ଶୋଷଣ କରିବା କାରଣରୁ ପଶ୍ଚିମ ଓଡିଶାର ଅଧିକାଂଶ ଚାଷୀ ନିଜର କଷ୍ଟ ଉପାର୍ଜିତ ଧାନ ବିକ୍ରୀ କରି ନ ପାରି ଚାପଗ୍ରସ୍ତ ହୋଇ ଆତ୍ମହତ୍ୟାର ପନ୍ଥା ଅବଲମ୍ବନ କରିବା ପୂର୍ବରୁ ଚାଷୀଙ୍କ ସମସ୍ୟା ସମାଧାନ ପାଇଁ ଦାବି କରାଯାଇଥିଲା।

ଏହି ମର୍ମରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା। ଆଜି ପୂର୍ବାହ୍ନରେ ସ୍ଥାନୀୟ ରାଧାକୃଷ୍ଣ ମନ୍ଦିରଠାରୁ ଦେବଗଡ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ନେତୃତ୍ୱରେ ଦଳୀୟ କର୍ମୀଙ୍କ ଏକ ବିରାଟ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ସଭାପତି ମୀନକେତନ ପ୍ରଧାନ, ରାଜ୍ୟ କାର୍ଯ୍ୟକାରଣୀ ସଦସ୍ୟ ଅରୁଣ କୁମାର ସାହୁ, ଭାରତ ଭୂଷଣ ପ୍ରଧାନ, ସାଂସଦଙ୍କ ପ୍ରତିନିଧି ଯୋଗେଶ ଚନ୍ଦ୍ର ପ୍ରଧାନ, ବାରକୋଟ ବ୍ଲକ ଉପାଧ୍ୟକ୍ଷ ହର ମୋହନ ପାଣି , ମୋତିଲାଲା ଶର୍ମା, ସରୋଜ କୁମାର ପାଢୀ, ନଗର ସଭାପତି ଦିବ୍ୟ ଶଙ୍କର ଖୁଣ୍ଟିଆଙ୍କ ସମେତ ବହୁ ଦଳୀୟ କର୍ମୀ ଗଣଧାରଣାରେ ସାମିଲ ହୋଇଥିଲେ। ଏହି ଅବସରରେ ଦଳ ପକ୍ଷରୁ ୯ ଦଫା ଦାବି ସମ୍ମିଳିତ ଏକ ଦାବିପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା।