ସଟଡାଉନ ନିୟମ ଉଲଂଘନ ଅଭିଯୋଗରେ ଦୋକାନ ସିଲ

ଦେବଗଡ଼,ଏନଏନଏସ : କରୋନା ସଂକ୍ରମଣର ଭୟବହତା କୁ ଦୃଷ୍ଟି ରଖି ସରକାର ସାରା ରାଜ୍ୟରେ ଲକଡାଉନ ଓ ସଟଡାଉନ ଭଳି ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାଇଡ଼ ଲାଇନ ଜାରି କରାଯାଇଥିବା ବେଳେ କେତେକ ଅମାନିଆ ଏହାର ଖୋଲା ଖୋଲି ଉଲଂଘନ କରୁଥିବା ଦେଖିବାକୁ ମିଳୁଛି । ତେବେ ଅମାନିଆଙ୍କୁ ଆକଟ କରିବା ପାଈଁ ଜିଲ୍ଲା ପୁଲିସ କଡା ଆଭିମୁଖ୍ୟ ଗ୍ରହଣ କରିଛି । ଏହି କ୍ରମରେ ଆଜି ଜିଲ୍ଲାରେ ଲକଡାଉନ ମଧ୍ୟରେ ସପ୍ତାହନ୍ତ ସଟଡାଉନ ଚାଲିଥିବା ବେଳେ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଚଢେଇମରା ଓ ନୂଆପଡା ଗ୍ରାମରେ ସଟଡାଉନ ନିୟମ ଉଲଂଘନ କରିଥିବା ଦୁଇଜଣ ବ୍ୟବସାୟୀ ଙ୍କ ଦୋକାନକୁ ପୁଲିସ ସିଲ କରିଥିବା ଜଣା ପଡିଛି ।

ମିଳିଥିବା ସୂଚନା ଅନୁଯାୟୀ ଆଜି ଜିଲ୍ଲାରେ ଲକଡାଉନ ମଧ୍ୟରେ ଦ୍ଵିତୀୟ ସପ୍ତାହନ୍ତ ସତଡାଉନ ଚାଲିଥିବା ବେଳେ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଚଢେଇମରା ଗ୍ରାମର ବିନୋଦ ବିହାରୀ ସାହୁ ଓ ନୂଆପଡା ଗ୍ରାମର ଶରତ କୁମର ସାହୁ ନିୟମ ଉଲଂଘନ କରି ସେମାନଙ୍କ ଦୋକାନ ଖୋଲା ରଖିଥିବା ବେଳେ ଦୋକାନରେ ସାମାଜିକ ଦୂରତା ପ୍ରତି କୌଣସି ଧ୍ୟାନ ଦେଇନଥିଲେ । ଏନେଇ ପୁଲିସ ନିକଟରେ ଅଭିଯୋଗ ଆସିବା ପରେ ପେଟ୍ରୋଲିଙ୍ଗ ଗାଡି ଉକ୍ତ ସ୍ଥାନକୁଯାଇ ଅଭିଯୋଗ ର ସତ୍ୟତା ଯାଞ୍ଚ କରିଥିଲା । ଯାଞ୍ଚ ସମୟରେ ଉଭୟ ବ୍ୟବସାୟୀ ସଟଡାଉନ ନିୟମ ଉଲଂଘନ କରି ଦୋକାନ ଖୋଲା ରଖି ବ୍ୟବସାୟ କରୁଥିବା ସହ ଦୋକାନ ସମ୍ମୁଖ ରେ ସାମାଜିକ ଦୂରତା ପ୍ରତି ପଦକ୍ଷପ ନେଇନଥିବା ଦେଖିବା ପରେ ପୁଲିସ ଉଭୟ ବ୍ୟବସାୟୀ ଙ୍କ ଦୋକାନ ସିଲ କରିଥିବା ଜଣା ପଡିଛି ।