ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ବରଗଡ଼ ଗସ୍ତ

ବରଗଡ଼, ଏନଏନଏସ: ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ବରଗଡ଼ ଜିଲ୍ଳା ଗସ୍ତରେ ଆସି ସ୍ଥାନୀୟ ବିଜ୍ଞାନ କେନ୍ଦ୍ରଠାରେ କୋଭିଡ ପରିଚାଳନା ସ୍ଥିତି ସଂପର୍କରେ ସମୀକ୍ଷା କରିଥିଲେ । ବରଗଡ଼ ଜିଲ୍ଳାରେ ସଂକ୍ରମଣର ହାର ଅଧିକା ରହିଥିବା ସତ୍ୱେ ଏହାର ସ୍ଥିତି ନିୟନ୍ତ୍ରଣାଧୀନ ଅଛି । ବର୍ତମାନ ଜିଲ୍ଳାରେ ୧୧୩ ଟି ଜୁମ୍ବୋ ଅକ୍ସିଜେନ ସିଲିଣ୍ଡର ଗଚ୍ଛିତ ଥିବାବେଳେ ଆହୁରି ୧୫୦ ରୁ ଅଧିକା ସିଲିଣ୍ଡର ବିଭିନ୍ନ ଜିଲ୍ଳାରୁ ବରଗଡ଼ ପାଇଁ ସରକାର ଯୋଗାଇ ଦେଇଛନ୍ତି ବୋଲି ଶ୍ରୀ ତ୍ରିପାଠୀ କହିଥିଲେ । ବରଗଡ଼ କୋଭିଡ ହସପିଟାଲର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆଉ ୩୦ ଟି ଆଇସିୟୁ ଶଯ୍ୟା ପ୍ରସ୍ତୁତ କରାଯିବା ନେଇ ସୂଚନା ଦେଇଥିଲେ । ଏହା ସହିତ ସ୍ଥାନୀୟ ବିକାଶ ହସପିଟାଲରେ ଅତିରିକ୍ତ ୩୦ ଟି ଶଯ୍ୟା ବ୍ୟବସ୍ଥା କରିବା ସହିତ ସେଠାରେ ଚିକିତ୍ସିତ ହେଉଥିବା ରୋଗୀମାନେ ଯେପରି ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ମୂଲ୍ୟରେ ଚିକିତ୍ସା ସେବା ପାଇପାରିବେ , ସେ ନେଇ ପଦକ୍ଷେପ ନେବା ପାଇଁ ଜିଲ୍ଳାପାଳଙ୍କୁ ପରାମର୍ଶ ଦେଇଥିଲେ । ପଦ୍ମପୁର ଉପଖଣ୍ଡ କୋଭିଡ କେୟାର ସେନ୍ଟର ଓ ବିଜେପୁର ସିଏଚସିରେ ଡାକ୍ତର ଯୋଗଇ ଦେବା ପାଇଁ ସିଡିଏମଓଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଜିଲ୍ଳାରେ ଆରଟିପିସିଏଆର ଟେଷ୍ଟିଙ୍ଗର ସୁବିଧା କରାଯିବ ବୋଲି ଶ୍ରୀ ତ୍ରିପାଠୀ କହିଥିଲେ । ଏଥି ନିମିତ ସରକାର ଟେଷ୍ଟଙ୍ଗ ଲ୍ୟାବକୁ ବିକଶିତ କରିବା ସହିତ ଟେଷ୍ଟିଙ୍ଗ ମେସିନ ଯୋଗାଇ ଦେବେ ବୋଲି ସୂଚନା ଦେଇଥିଲେ । ବୈଠକରେ ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ , ମନ୍ତ୍ରୀ ସୁଶାନ୍ତ ସିଂ, ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ଜିଲ୍ଳା ଯୋଜନା ବୋର୍ଡ ଅଧ୍ୟକ୍ଷ ଦେବେଶ ଆଚାର୍ଯ୍ୟ , ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ଜିଲ୍ଳାପାଲ ଜ୍ୟୋତିରଂଜନ ପ୍ରଧାନ, ଏସପି ପଦ୍ମିନୀ ସାହୁ , ସିଡିଏମଓ ଆଇସି ଡାକ୍ତର ସାଧୁଚରଣ ଦାଶ ଏବଂ ଜିଲ୍ଳାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।