ମହିଳାଙ୍କ ସନ୍ଦେହ ଜନକମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ବାପା

ଦେଓଗାଁ,ଏନ୍ଏନ୍ଏସ୍: ଦେଓଗାଁ ଥାନା ବଡ଼ ଡୁଙ୍ଗୁରୀପାଲି ଗାଁରେ ଜଣେ ବିବାହିତ ମହିଳାଙ୍କ ମୃତଦେହ ଦେଓଗାଁ ପୁଲିସ ଉଦ୍ଧାର କରିଛି। ଏହି ଗାଁର ସୁଶାନ୍ତ ମେହେରଙ୍କ ସ୍ତ୍ରୀ ରଶ୍ମିତା ମେହେରଙ୍କୁ ଯୌତୁକ ପାଇଁ ନିର୍ଯାତନା ଦେଇ ମାରି ଦେଇଛନ୍ତି ବୋଲି ରଶ୍ମିତାଙ୍କ ବାପା ସୁରେନ୍ଦ୍ର ମେହେର ଦେଓଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପ୍ରକାଶ ଥାଉକି, ସାଲେପାଲି ପଞ୍ଚାୟତ ବଡ଼ ଡୁଙ୍ଗୁରୀ ପାଲି ଗାଁର ସୁଶାନ୍ତ ମେହେର ୨୦୧୪ ମସିହାରେ ଚୂଡ଼ାପାଲି ଗାଁର ରଶ୍ମିତା ମେହେରଙ୍କୁ ବିବାହ କରିଥିଲେ। ବିବାହ ପରଠୁ ରଶ୍ମିତାଙ୍କ ଶାଶୂଘର ଲୋକେ ଯୌତୁକ ପାଇଁ ନିର୍ଯାତନା ଦେଉଥିବା ମୃତ ରଶ୍ମିତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ବୁଧୁବାର ସକାଳେ ଝିଅର କାକା ଶ୍ୱଶୁର ଫୋନ ମାଧ୍ୟମରେ ‘ଆପଣଙ୍କ ଝିଅର ଅବସ୍ଥା ଖରାପ ଅଛି ଶୀଘ୍ର ଆସନ୍ତୁ ବୋଲି କହିବାରୁ ମୋ ପୁଅ ସହ ଆସି’ ଦେଖିବା ବେଳକୁ ଝିଅ ମୃତ ଅବସ୍ଥାରେ ପଡିଥିବା ସୁରେନ୍ଦ୍ର ମେହେର ପ୍ରକାଶ କରିଛନ୍ତି। ଏନେଇ ଦେଓଗାଁ ଥାନା ଓଆଇସି ରଞ୍ଜନ ବରିହାଙ୍କୁ ପଚାରିବାରୁ ମହିଳାଙ୍କ ମୃତଦେହ ଜବତ ହୋଇଛି, ବ୍ୟବଚ୍ଛେଦ ପରେ ପରିବାରଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି।