ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ମୋଦୀ, ଜଣାଇଲେ ସମବେଦନା

ନୂଆଦିଲ୍ଲୀ,ଏଜେନ୍ସି: ବ୍ରିଟିଶ ମହାରାଣୀ ଏଲିଜାବେଥଙ୍କ ଦେହାନ୍ତରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଲିଜ ଟ୍ରସଙ୍କ ସହ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦି ବ୍ରିଟେନ ମହାରାଣୀଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିବା ସହ ସମବେଦନା ଜଣାଇଛନ୍ତି । ଆଜି ପୂର୍ବାହ୍ନରେ ଉଭୟଙ୍କ ମଧ୍ୟରେ ଟେଲିଫୋନରେ ଆଲୋଚନା ହୋଇଥିବା ନେଇ ସୂଚନା ମିଳିଛି । ଗୁରୁବାର ରାତ୍ରିରେ ମହାରାଣୀ ଏଲିଜାବେଥଙ୍କ ଦେହାନ୍ତ ହୋଇଥିଲା । ୯୬ ବର୍ଷୀୟା ମହାରାଣୀ ବାର୍ଦ୍ଧକ୍ୟ କାରଣରୁ ଅସୁସ୍ଥ ଥିଲେ । ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ମହାରାଣୀଙ୍କ ଦେହାନ୍ତ ପରେ ତାଙ୍କ ପୁତ୍ର ପ୍ରିନ୍ସ ଚାର୍ଲ୍ସ-ତୃତୀୟ ଆଜି ଗ୍ରେଟ ବ୍ରିଟେନର ନୂତନ ସମ୍ରାଟ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ଗୁରୁବାର ମା’ ତଥା ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କର ୯୬ ବର୍ଷ ବୟସରେ ଦେହାନ୍ତ ହୋଇଥିଲା । ମହାରାଣୀଙ୍କ ଦେହାନ୍ତ ପରେ ତାଙ୍କ ବଡ ପୁଅ ତଥା ୭୩ ବର୍ଷୀୟ ପ୍ରିନ୍ସ ଚାର୍ଲ୍ସଙ୍କୁ ବ୍ରିଟେନର ନୂତନ ରାଜା ଭାବେ ଘୋଷଣା କରାଯାଇଥିଲା । ସେ ଆଜି ଲଣ୍ଡନର ସେଣ୍ଟ ଜେମ୍ସ ରାଜପ୍ରସାଦରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ମହାରାଜା ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ।