ପାର୍ଲାମେଣ୍ଟରେ କେନ୍ଦ୍ରାପଡ଼ା ରସାବଳୀ ପ୍ରସଙ୍ଗ: ଜିଆଇ ଟ୍ୟାଗ ଦେବାକୁ ୩ ସାଂସଦଙ୍କ ଦାବି

  • ନୂଆଦିଲ୍ଲୀ: କେନ୍ଦ୍ରାପଡ଼ାର ପ୍ରସିଦ୍ଧ ମିଷ୍ଟାନ୍ନ ରସାବଳୀକୁ ‘ଜିଆଇ ଟ୍ୟାଗ୍’ ଦେବାକୁ ଦାବି କରି ସାଂସଦ ସୁବାସ ସିଂହଙ୍କ ନେତୃତ୍ୱରେ ସାଂସଦ ମୁନ୍ନା ଖାଁ ଓ ସାଂସଦ ମମତା ମହାନ୍ତ ଆଜି କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ୍ଙ୍କୁ ପାର୍ଲାମେଣ୍ଟ୍ କାର୍ଯ୍ୟାଳୟରେ ଭେଟି ସ୍ମାରକପତ୍ର ଦେଇଛନ୍ତି। ରସାବଳୀ ହେଉଛି ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀବଳଦେବଜୀଉଙ୍କର ମୁଖ୍ୟ ପ୍ରସାଦ।
    ଇତିହାସ କହେ, ଗଙ୍ଗବଂଶ ରାଜତ୍ୱ ଅର୍ଥାତ୍ ୪୦୦ ବର୍ଷ ତଳୁ ରସାବଳୀ ସ୍ୱାଦିଷ୍ଟ ମିଷ୍ଟାନ୍ନଭାବେ ସ୍ୱକୀୟ ପରିଚୟ ସୃଷ୍ଟି କରିଛି। ପ୍ରାଚୀନ ଦାଣ୍ଡି ରାମାୟଣ ଏବଂ ଜଗମୋହନ ରାମାୟଣରେ ମଧ୍ୟ ରସାବଳୀ ସମ୍ବନ୍ଧରେ ସ୍ପଷ୍ଟଭାବେ ଉଲ୍ଲେଖ କରାଯାଇଛି। କେନ୍ଦ୍ରାପଡ଼ାର ଅନେକ ବାସିନ୍ଦା ଏହି ରସାବଳୀ ବିକ୍ରୟ କରି ଗୁଜୁରାଣ ମେଣ୍ଟାଉଛନ୍ତି। କଟକର ପ୍ରସିଦ୍ଧ ବାଲିଯାତ୍ରା ସମେତ ରାଜ୍ୟ ଓ ଦେଶର ବିଭିନ୍ନ ପ୍ରମୁଖ ପ୍ରଦର୍ଶନୀରେ ପ୍ରଦର୍ଶିତ ହୋଇ ଏହା ଆଦୃତ ହୋଇପାରିଛି। ଦେଶ ତଥା ବିଦେଶରେ ପ୍ରସିଦ୍ଧି ଲାଭ କରିଥିଲେ ସୁଦ୍ଧା ଏଯାବତ୍ କେନ୍ଦ୍ରପଡ଼ାର ରସାବଳୀକୁ ‘ଜିଆଇ ଟ୍ୟାଗ୍’ ମିଳିନାହିଁ।
    ‘ଜିଆଇ ଟ୍ୟାଗ୍’ ମିଳିଲେ କେନ୍ଦ୍ରାପଡ଼ା ରସାବଳୀ ଆହୁରି ଅଧିକ ପରିଚିତ ହେବ। ଦେଶ ଓ ବିଦେଶର ପର୍ଯ୍ୟଟକମାନେ ମଧ୍ୟ ତୁଳସୀକ୍ଷେତ୍ର ପ୍ରତି ଆକର୍ଷିତ ହେବା ସହ ଭିତରକନିକା, ୧୮୦ ବର୍ଷ ପୁରୁଣା ବ୍ରିଟିଶ ଅମଳର ହୁକିଟୁଲା ବତିଘର ଏବଂ ବଙ୍ଗୋପସାଗରର ସୁବୀସ୍ତିର୍ଣ୍ଣ ଜଳରାଶି ଆଦି ଦେଖିବାକୁ ମନବଳାଇ ଆସିବେ ବୋଲି ବୁଦ୍ଧିଜୀବୀ ତଥା ସାଂସଦମାନେ ଦାବି କରିଛନ୍ତି।a