ଜାତିସଂଘ ନିରାପତ୍ତା ପରିଷଦର ଅଧ୍ୟକ୍ଷ ଦାୟିତ୍ୱ ତୁଲାଇବ ଭାରତ

  • ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ସ୍ତରରେ ଭାରତକୁ ବଡ଼ ସଫଳତା ମିଳିଛି। ଆଜିଠାରୁ ଜାତିସଂଘ ନିରାପତ୍ତା ପରିଷଦର ଅଧ୍ୟକ୍ଷ ଦାୟିତ୍ୱ ତୁଲାଇଛି ଭାରତ। ସାମୁଦ୍ରିକ ନିରାପତ୍ତା, ଶାନ୍ତି ପ୍ରତିଷ୍ଠା ଓ ଆତଙ୍କବାଦର ମୁକାବିଲା କ୍ଷେତ୍ରରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ସେପଟେ ଚୀନ, ଆଫଗାନିସ୍ତାନ ଓ ପାକିସ୍ତାନକୁ ଲାଗିଛି ବଡ଼ ଝଟକା। ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ଟି.ଏସ. ତିରୁମୂର୍ତ୍ତି କହିଛନ୍ତି, ନିରାପତ୍ତା ପରିଷଦରେ ଭାରତର ଅଧ୍ୟକ୍ଷତା ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା। ଭାରତ ୭୫ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଥିବାବେଳେ ନିରାପତ୍ତା ପରିଷଦରେ ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ। ଶକ୍ତିଶାଳୀ ୧୫ଟି ରାଷ୍ଟ୍ରକୁ ନେଇ ଗଠିତ ଜାତିସଂଘର ଅଧ୍ୟକ୍ଷ ଦାୟିତ୍ୱ ନେବା ପ୍ରଥମ। ତିରୁମୂର୍ତ୍ତି ଏକ ସାମ୍ବାଦିକ ସମ୍ମିଳନୀରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ନିରାପତ୍ତା ପରିଷଦର ଅସ୍ଥାୟୀ ସଦସ୍ୟଭାବେ ଭାରତ ଦୁଇ ବର୍ଷ ଲାଗି ମନୋନୀତ ହୋଇଛି। ଗତ ଜାନୁଆରୀ ୧ରୁ ଭାରତ ଏହି ସଦସ୍ୟତା ଲାଭ କରିଛି। ଏକ ଅସ୍ଥାୟୀ ସଦସ୍ୟ ରାଷ୍ଟ୍ରଭାବେ ଭାରତ ପ୍ରଥମ ଥର ଲାଗି ନିରାପତ୍ତା ପରିଷଦର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଛି। ଆସନ୍ତା ବର୍ଷ ଡିସେମ୍ବରରେ ଭାରତ ପୁଣି ନିରାପତ୍ତା ପରିଷଦର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବ। ଭାରତ-ଚୀନ ମଧ୍ୟରେ ଚାଲିଥିବା ସୀମା ବିବାଦ, ପାକିସ୍ତାନର ଆତଙ୍କବାଦୀ କାର୍ଯ୍ୟକଳାପ ତଥା ଆଫଗାନିସ୍ତାନରେ ଅସ୍ଥିରତା ପରିପ୍ରେକ୍ଷୀରେ ଭାରତର ଅଧ୍ୟକ୍ଷତା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେଉଛି। ଜାତିସଂଘ ନିରାପତ୍ତା ପରିଷଦରେ ଚୀନ, ଫ୍ରାନ୍ସ, ଋଷ, ବ୍ରିଟେନ ଓ ଆମେରିକା ସ୍ଥାୟୀ ସଦସ୍ୟ ଅଛନ୍ତି। ଅନ୍ୟପଟେ ଭାରତ, ଏସ୍ତୋନିଆ, ଆୟରଲ୍ୟାଣ୍ଡ, କେନିଆ, ମେକ୍ସିକୋ, ନାଇଜର, ନରୱେ, ସେଣ୍ଟ ଭିନସେଣ୍ଟ, ଟ୍ୟୁନିସିଆ ଭିଏତନାମ ଆଦି ରାଷ୍ଟ୍ର ସମେତ ୧୫ ରାଷ୍ଟ୍ର ଅସ୍ଥାୟୀ ସଦସ୍ୟ ଅଛନ୍ତି।