ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ଦାବି ଦୋହରାଇବ ବିଜେଡି

ଭୁବନେଶ୍ୱର, ଏନ୍ଏନ୍ଏସ୍: ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ଦାବିରେ ପୁଣି ଅଡ଼ି ବସିବ ବିଜେଡି। ରେଳବାଇରେ ଓଡ଼ିଶାକୁ ଅବହେଳା, କୃଷି ଆଇନରେ ସ୍ୱାମୀନାଥନ କମିଟି ରିପୋର୍ଟକୁ ଲାଗୁକରିବା ଓ କେନ୍ଦୁପତ୍ର ଉପରୁ ଜିଏସଟି ହ୍ରାସଭଳି କିଛି ଜରୁରୀ ପ୍ରସଙ୍ଗରେ ଦାବିକରିବ ଦଳ। ବିଜେଡିର ସଂସଦୀୟ ଦଳ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ସାଂସଦଙ୍କୁ ଏନେଇ ଗୁରୁମନ୍ତ୍ର ଦେଇଛନ୍ତି।

ନବୀନ ନିବାସରେ ଶ୍ରୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବିଜେଡି ସଂସଦୀୟ ଦଳ ବୈଠକରେ ଉଭୟ ଲୋକସଭା ଓ ରାଜ୍ୟସଭାର ସାଂସଦମାନେ ଉପସ୍ଥିତ ଥିଲେ। ବୈଠକ ଶେଷରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଗଣମାଧ୍ୟମକୁ କହିଥିଲେ, ଅଗାମୀ ବଜେଟ ଅଧିବେଶନରେ ବିଜେଡି ରାଜ୍ୟ ସ୍ୱାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗ ଗୃହରେ ଉତ୍ଥାପନ କରିବ। ମୁଖ୍ୟମନ୍ତ୍ରୀ ଏନେଇ ସ୍ପଷ୍ଟକରିଛନ୍ତି। ବିଭିନ୍ନ ପ୍ରସଙ୍ଗ ମଧ୍ୟରେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବି ସର୍ବାଗ୍ରେ ରହିଛି। ସେହିପରି ସମ୍ବିଧାନର ମୁଖବନ୍ଧରେ ଅହିଂସାକୁ ସାମିଲ କରିବା, କୃଷି ଆଇନରେ ସ୍ୱାମୀନାଥନ କମିଟି ରିପୋର୍ଟକୁ ଲାଗୁ କରିବା, ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର, କେନ୍ଦୁପତ୍ର ଉପରୁ ଜିଏସଟି ହ୍ରାସ କରିବା ଏବଂ ରେଳବାଇ କ୍ଷେତ୍ରରେ ଓଡ଼ିଶାକୁ ଅଧିକ ଫୋକସ୍ କରିବା ଦାବି କରିବ ଦଳ। ଅନ୍ୟପକ୍ଷରେ ସଂସଦ ଓ ବିଧାନସଭାରେ ୩୩ ପ୍ରତିଶତ ମହିଳା ସଂରକ୍ଷଣ, କୋଇଲା ରୟାଲଟି ହାର ବୃଦ୍ଧି, ବିଧାନ ପରିଷଦ ଗଠନ, କୋଶଳୀ ଓ ‘ହୋ’ ଭାଷାକୁ ଅଷ୍ଟମ ଅନୁଚ୍ଛେଦରେ ସାମିଲ କରାଯିବା ଭଳି ଦାବି ମଧ୍ୟ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ସେ ପ୍ରକାଶ କରିଥିଲେ।

ଡଃ ପାତ୍ର କହିଥିଲେ, ରେଳବାଇ ବିକାଶ କ୍ଷେତ୍ରରେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ଏବେ ବି ପଛରେ ପଡ଼ିଛି। କେନ୍ଦ୍ର ସରକାର ରାଜ୍ୟରୁ ପ୍ରତିବର୍ଷ ହଜାର ହଜାର କୋଟି ଟଙ୍କାର ରାଜସ୍ୱ ନେଉଛନ୍ତି, ଅଥଚ ସେହିତୁଳନାରେ କିଛି ବଡ଼ କାର୍ଯ୍ୟ ହେଉନାହିଁ। ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ଲାଗି ଜମି ଅଧିଗ୍ରହଣ ସରିଥିଲେ ହେଁ କାର୍ଯ୍ୟ ଅଗ୍ରଗତି ହୋଇପାରିନାହିଁ। କେନ୍ଦ୍ରାପଡ଼ାକୁ ଲୋକାଲ ଟ୍ରେନ ଚଳାଚଳରେ ବିଳମ୍ବ ଘଟୁଛି। ଏପରିକି ଗତ କିଛି ବର୍ଷ ମଧ୍ୟରେ ରାଜ୍ୟରେ ପ୍ରାୟ ୩୦୦ଟି ଷ୍ଟପେଜ ବନ୍ଦ୍ କରିଛି ରେଳ ବିଭାଗ। ଏହି ଦାବିକୁ ଗୃହରେ ଜୋରଦାର ଉଠାଯିବ ବୋଲି ଡକ୍ଟର ପାତ୍ର କହିଛନ୍ତି।