୬୨ ପଦବୀକୁ ମୁଖ୍ୟମନ୍ତ୍ରୀ ଦେଲେ ମଞ୍ଜୁରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଶିଶୁ ଓ ମହିଳା ବିରୋଧୀ ଅପରାଧ ରୋକିବା ପାଇଁ ରାଜ୍ୟ ପୁଲିସ୍ ବିଭାଗ ଅଧିନରେ ଖୋଲିବ ‘ସ୍ୱତନ୍ତ୍ର ଶାଖା’। ଆଇଜି ପାହ୍ୟାର ଜଣେ ଅଧିକାରୀଙ୍କ ନେତୃତ୍ୱରେ ଏହି ଶାଖା ପରିଚାଳିତ ହେବ। ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଶିଶୁ ଓ ମହିଳାଙ୍କ ସୁରକ୍ଷା ଉପରେ ରାଜ୍ୟ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଇଆସିଛନ୍ତି। ମହିଳା ଓ ଶିଶୁଙ୍କ ଉପରେ ହେଉଥିବା ନିର୍ଯାତନା ତଥା ସେ ସଂକ୍ରାନ୍ତୀୟ ଅପରାଧକୁ ଯେପରି ଫଳପ୍ରଦ ଭାବରେ ରୋକାଯାଇପାରିବ ଏବଂ ଅଭିଯୋଗ ଆଧାରରେ ଉଚିତ ତଦନ୍ତ ହେବ ତାହାକୁ ଦୃଷ୍ଟିରେ ରଖି ରାଜ୍ୟ ପୁଲିସରେ ଏକ ସ୍ୱତନ୍ତ୍ର ଶାଖା ଖୋଲିବା ନିମନ୍ତେ ସରକାର ନୀତିଗତ ନିଷ୍ପତ୍ତି ନେଇଛନ୍ତି। ସ୍ୱତନ୍ତ୍ର ଶାଖା ପାଇଁ ୬୨ଟି ପଦବୀ ମଞ୍ଜୁର ହୋଇଛି। ପୁଲିସ ବିଭାଗର ୬୦ଟି ପଦବୀ ସହିତ ସାଇବର ଫରେନସିକ୍ ଓ ଆଇଟି ବିଶେଷଜ୍ଞ ପାଇଁ ୨ଟି ପଦବୀକୁ ମଧ୍ୟ ମଞ୍ଜୁର କରାଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ସ୍ୱତନ୍ତ୍ର ଶାଖା’ ପରିଚାଳନା ଦାୟିତ୍ୱରେ ଜଣେ ଆଇଜି ପାହ୍ୟାର ଅଧିକାରୀ ରହିବେ। ତାଙ୍କ ବ୍ୟତୀତ ଦୁଇ ଜଣ ଅତିରିକ୍ତ ଏସ୍ପି, ୧୦ ଡିଏସପି, ୯ ଇନ୍ସପେକ୍ଟର, ୧୦ ସବ୍ ଇନ୍ସପେକ୍ଟର, ୮ ଏଏସ୍ଆଇ ଓ ୧୪ କନଷ୍ଟେବଳଙ୍କୁ ନିୟୋଜିତ କରାଯିବ। ଏହା ସହିତ ୫ ମିନିଷ୍ଟ୍ରିରିଆଲ ପଦବୀକୁ ମଧ୍ୟ ମଞ୍ଜୁର କରାଯାଇଛି ବୋଲି ଶ୍ରୀ ପଟ୍ଟନାୟକ ସ୍ପଷ୍ଟ କରିଥିଲେ।