ନୂଆଦିଲ୍ଲୀ, ଏଜେନ୍ସି: ବର୍ତ୍ତମାନ ଭାରତରେ କୋଭିଡ୍ର ଦ୍ୱିତୀୟ ଲହରୀ ଅବ୍ୟାହତ ରହିଥିବାବେଳେ ଡେଲଟା ଭାରିଆଣ୍ଟ୍ (ରୂପାନ୍ତରିତ ଭୂତାଣୁ) ଅଧିକ ବିପଜ୍ଜନକ ସାବ୍ୟସ୍ତ ହେଉଥିବା ସରକାରୀ ସର୍ଭେରୁ ଜଣାପଡିଛି। ବ୍ରିଟେନରେ ପୂର୍ବରୁ ଚିହ୍ନଟ ହୋଇସାରିଥିବା ଆଲଫା ଭାରିଆଣ୍ଟ୍ ତୁଳନାରେ ବି.୧.୬୧୭.୨ ନାମରେ ପରିଚିତ ଏହି ଡେଲଟା ଭାରିଆଣ୍ଟ୍ ଅଧିକ ମାରାତ୍ମକ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଦ୍ୱିତୀୟ ଲହରୀ ଏତେ ମାରାତ୍ମକ କାହିଁକି ହେଲା ବୋଲି ଅନୁଧ୍ୟାନ କରିବାକୁ ‘ନ୍ୟାସନାଲ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ’ର ବୈଜ୍ଞାନିକମାନେ ଏହି ସର୍ଭେ କରିଥିଲେ। ଆଲଫା ତୁଳନାରେ ଡେଲଟା ଭାରିଆଣ୍ଟ୍ ୫୦ ପ୍ରତିଶତ ଅଧିକ ସଂକ୍ରମଣ କରୁଥିବା ସେମାନେ ଲକ୍ଷ୍ୟ କରିଛନ୍ତି। ତେବେ କୋଭିଡ୍ ରୋଗୀଙ୍କ ମୃତ୍ୟୁସଂଖ୍ୟା ବୃଦ୍ଧିି ପାଇବାରେ ଡେଲଟା ଭାରିଆଣ୍ଟର ଭୂମିକା ରହିଥିବାର ସେମାନେ ପ୍ରମାଣ ପାଇନାହାନ୍ତି। ଅପରପକ୍ଷରେ ଆଲ୍ଫା ତୁଳନାରେ ଡେଲ୍ଟା ଭାରିଆଣ୍ଟରେ ଆକ୍ରାନ୍ତ ରୋଗୀଙ୍କୁ ଡାକ୍ତରଖାନାରେ ଚିକିତ୍ସିତ ହେବାର ଆବଶ୍ୟକତା ପଡୁଛି ବୋଲି ବ୍ରିଟେନର ବୈଜ୍ଞାନିକମାନେ ତଥ୍ୟ ହାସଲ କରିଛନ୍ତି। ସଂପ୍ରତି ଡେଲଟା ଭାରିଆଣ୍ଟରେ ଆକ୍ରାନ୍ତ ପ୍ରାୟ ୧୨,୨୦୦ ରୋଗୀ ବ୍ରିଟେନରେ ରହିଛନ୍ତି। ଏମାନଙ୍କର ସ୍ୱାସ୍ଥ୍ୟାବସ୍ଥା ଉପରେ ତୀକ୍ଷ୍ଣ ନଜର ରଖାଯାଉଛି ବୋଲି ବ୍ରିଟେନ ସ୍ୱାସ୍ଥ୍ୟ ସୁରକ୍ଷା ଏଜେନ୍ସିର ମୁଖ୍ୟ କାର୍ଯ୍ୟନିର୍ବାହୀ ଜେନି ହାରିସ କହିଛନ୍ତି। ଭାରତର ଦିଲ୍ଲୀ, ଆନ୍ଧ୍ରପ୍ରଦେଶ, ଗୁଜରାଟ, ମହାରାଷ୍ଟ୍ର, ଓଡିଶା ଓ ତେଲେଙ୍ଗାନାରେ ଡେଲ୍ଟା ଭାରିଆଣ୍ଟର ଉପସ୍ଥିତି ସବୁଠୁ ଅଧିକ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଦ୍ୱିତୀୟ ଲହରୀରେ ଏହି ରାଜ୍ୟଗୁଡିକ ସବୁଠାରୁ ଅଧିକ ପ୍ରଭାବିତ ହେଉଛନ୍ତି। ଏପରିକି କୋଭିଡ୍ ଟିକାକରଣ ପରେ ମଧ୍ୟ ଡେଲ୍ଟା ଭାରିଆଣ୍ଟ୍ ତାହାର ପ୍ରକୋପ ଜାରି ରଖିଥିବା ଜଣାପଡିଛି। କୋଭିଡ୍ରୁ ସୁସ୍ଥ ହୋଇସାରିଥିବା ଏବଂ ଦୁଇଟି ଡୋଜ୍ ଟିକା ନେଇସାରିଥିବା ବ୍ୟକ୍ତି ପରବର୍ତ୍ତୀ ସମୟରେ ଏହି ଭାରିଆଣ୍ଟ୍ ଯୋଗୁଁ ଜଟିଳ ସ୍ଥିତିର ସମ୍ମୁଖୀନ ହେଉଥିବା କୁହାଯାଇଛି। ଏହି ସର୍ଭେରେ ୨୯,୦୦୦ କୋଭିଡ୍ ରୋଗୀଙ୍କ ନମୁନା ସାମିଲ କରାଯାଇଥିଲା।