ଭାରତୀୟ ବୈଜ୍ଞାନିକଙ୍କୁ ମୋଦୀଙ୍କ ପ୍ରଶଂସା

ନୂଆଦିଲ୍ଲୀ, ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଭାରତୀୟ ବୈଜ୍ଞାନିକଙ୍କୁ ଉଚ୍ଚପ୍ରଶଂସା କରିଛନ୍ତି। ବୈଶ୍ୱିକ ମହାମାରୀ କୋଭିଡରୁ ବର୍ତ୍ତିବା ପାଇଁ ଭାରତୀୟ ବୈଜ୍ଞାନିକମାନେ ମାତ୍ର ଏକ ବର୍ଷ ମଧ୍ୟରେ ଟିକା ଉଦ୍ଭାବନ କରିଥିବାରୁ ମୋଦୀ ସେମାନଙ୍କର ଭୂମିକାକୁ ପ୍ରଶଂସା କରିଛନ୍ତି। ମାନବ ସମାଜକୁ ଏଭଳି ଏକ ଦୁର୍ଦ୍ଦିନରେ ଦେବଦୂତ ଭଳି ସହାୟତା କରିଥିବାରୁ ମୋଦୀ ସେମାନଙ୍କୁ ଆନ୍ତରିକ କୃତଜ୍ଞତା ମଧ୍ୟ ଜଣାଇଛନ୍ତି। ଶୁକ୍ରବାର ଏଠାରେ ସିଏସଆଇଆର୍ ବୈଠକରେ ଅଧ୍ୟକ୍ଷତା କରିବା ଅବସରରେ ମୋଦୀ ଆହୁରି କହିଛନ୍ତି ଯେ ବର୍ତ୍ତମାନ ବିଦେଶୀ ପ୍ରତିପକ୍ଷଙ୍କ ତୁଳନାରେ ଭାରତୀୟ ବୈଜ୍ଞାନିକଙ୍କ କୃତିତ୍ୱ ବିଶ୍ୱରେ ଅଧିକ ମାତ୍ରାରେ ଆଦୃତ ହେଉଛି।