ଚଳିତ ଆଇପିଏଲର ପ୍ରଥମ ସୁପର ଓଭର, ଦିଲ୍ଲୀ ବିଜୟ

ଚେନ୍ନଇ,ଏନ୍ଏନ୍ଏସ୍: ଚଳିତ ଆଇପିଏଲରେ ରବିବାର ସନ୍ଧ୍ୟାରେ ପ୍ରଥମ ସୁପର ଓଭର ଦେଖିବାକୁ ମିଳିଛି। ଏଥିରେ ସନ୍‌ରାଇଜର୍ସ ହାଇଦରାବାଦକୁ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍‌ସ। ଅକ୍ଷର ପଟେଲ ବୋଲିଂ କରିଥିବା ସୁପର ଓଭରରେ ସନ୍‌ରାଇଜର୍ସର ଡେଭିଡ୍‌ ୱାର୍ଣ୍ଣର ଓ କେନ୍ ୱିଲିୟମ୍‌ସନ ୭ ରନ୍ କରିଥିଲେ। ରସିଦ୍‌ ଖାଁ ବୋଲିଂ କରିଥିବା ଓଭରରେ ଦିଲ୍ଲୀର ଋଷଭ ପନ୍ତ୍ ଓ ଶିଖର ଧାୱନ ଶେଷ ବଲ୍‌ରେ ବିଜୟଲକ୍ଷ୍ୟ ହାସଲ କରିଥିଲେ। ନିର୍ଦ୍ଧାରିତ ୨୦ ଓଭର ଶେଷରେ ଉଭୟ ଦଳ ସମାନ ୧୫୯ ରନ୍ ଲେଖାଏଁ କରିବାରୁ ମ୍ୟାଚ୍‌ ଟାଇ ରହିଥିଲା ଓ ସୁପର ଓଭର ହୋଇଥିଲା। ଦିଲ୍ଲୀ ପ୍ରଥମେ ବ୍ୟାଟିଂକରି ପୃଥ୍ବୀ ସ’ଙ୍କ ଅର୍ଦ୍ଧଶତକ ବଳରେ ୪ ୱିକେଟ ସହ ୧୫୯ ରନ୍ କରିଥିଲା। ପରେ ସନ୍‌ରାଇଜର୍ସ କେନ୍ ୱିଲିୟମ୍‌ସନଙ୍କ ଲଢ଼ୁଆ ଅର୍ଦ୍ଧଶତକ ବଳରେ ୭ ୱିକେଟରେ ୧୫୯ ରନ୍ କରିଥିଲା। ୫ମ ମ୍ୟାଚ୍‌ରେ ୪ର୍ଥ ବିଜୟ ଫଳରେ ଦିଲ୍ଲୀ ୮ ପଏଣ୍ଟ ସହ ୨ୟ ସ୍ଥାନକୁ ଉନ୍ନୀତ ହୋଇଛି। ସନ୍‌ରାଇଜର୍ସ ୫ମ ମ୍ୟାଚରେ ୪ର୍ଥ ପରାଜୟ ଭୋଗି ୭ମ ସ୍ଥାନରେ ରହିଛି।

୧୬୦ରନ୍‌ ଲକ୍ଷ୍ୟରେ ସନ୍‌ରାଇଜର୍ସ ହାଇଦରାବାଦର ଅଧିନାୟକ ଡେଭିଡ୍‌ ୱାର୍ଣ୍ଣର ୬ ରନ୍‌ କରି ରନ୍‌ ଆଉଟ ହୋଇଥିଲେ। ତେବେ ଜନି ବେୟାରଷ୍ଟୋ ୧୮ ବଲରେ ୪ଟି ଛକା ଓ ୩ଟି ଚୌକା ସହ ୩୮ ରନ୍‌ କରିଥିଲେ। ବିଜୟ ଶଙ୍କର ୮, ବିରାଟ ସିଂହ ୪, କେଦାର ଯାଦବ ୯, ଅଭିଷେକ ଶର୍ମା ୫ ଓ ରସିଦ୍‌ ଖାଁ ବିନା ସ୍କୋର୍‌ରେ ଆଉଟ୍‌ ହୋଇଥିଲେ। ଜଗଦ୍ଦୀଶ ସୁଚିତ ୬ ବଲରେ ଅପରାଜିତ ୧୫ ରନ୍‌ କରି ମ୍ୟାଚକୁ ଟାଇ ରଖିଥିଲେ। ସେହିପରି ୱିଲିୟମସନ ୫୧ ବଲରେ ୮ଟି ଚୌକା ସହ ୬୬ ରନ୍‌ କରି ଅପରାଜିତ ଥିଲେ। ଆଭେସ୍ ଖାଁ ୩ଟି ଓ ଅକ୍ଷର ପଟେଲ ୨ଟି ୱିକେଟ ନେଇଥିଲେ।

ଟସ୍ ଜିତି ଦିଲ୍ଲୀ ବ୍ୟାଟିଂ କରିଥିଲା। ଦିଲ୍ଲୀର ଦୁଇ ଓପନର ପୃଥ୍ବୀ ସ’ ଓ ଶିଖର ଧାୱନ ୧୦ ଓଭରରେ ୮୧ ରନର ଭାଗିଦାରୀ କରିଥିଲେ। ଶିଖର ଧାୱନ ୨୬ ବଲରେ ୩ଟି ଚୌକା ସହ ୨୮ ରନ୍‌ କରି ଆଉଟ ହୋଇଥିଲେ। ପୃଥ୍ବୀ ସ’ ୩୯ ବଲରେ ଗୋଟିଏ ଛକା ଓ ୭ଟି ଚୌକା ସହ ୫୩ ରନ୍ କରିଥିଲେ। ପରେ ଅଧିନାୟକ ଋଷଭ ପନ୍ତ ଓ ଅଭିଜ୍ଞ ଷ୍ଟିଭେନ୍ ସ୍ମିଥ୍ ୩ୟ ୱିକେଟ ପାଇଁ ୭ ଓଭରରେ ୫୮ ରନ୍ ଯୋଡ଼ିଥିଲେ। ପନ୍ତ ୨୭ ବଲରେ ଗୋଟିଏ ଛକା ଓ ୪ଟି ଚୌକା ସହ ୩୭ ରନ୍ କରିଥିଲେ। ସ୍ମିଥ୍ ଅପରାଜିତ ରହି ୨୫ ବଲରେ ଗୋଟିଏ ଛକା ଓ ୩ଟି ଚୌକା ସହ ୩୪ ରନ୍ କରିଥିଲେ। ସିଦ୍ଧାର୍ଥ କୌଲ ୨ଟି ୱିକେଟ ନେଇଥିଲେ। ପୃଥ୍ବୀ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।