ଦିଲ୍ଲୀ ହିଂସା: ୬ ସନ୍ଦିଗ୍ଧ ଚିହ୍ନଟ, ଆହତ ପୁଲିସ କର୍ମୀଙ୍କ ହେବ ବୟାନ ରେକର୍ଡ, ତଦନ୍ତ ଆରମ୍ଭ

ନୂଆଦିଲ୍ଲୀ,ଏଜେନ୍ସି: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ଜହାଙ୍ଗୀରପୁରୀ ଅଞ୍ଚଳରେ ଶନିବାର କୁଶଳ ସିନେମା ନିକଟରେ ହିଂସା ଦେଖାଯାଇଛି। କୁହାଯାଉଛି ଯେ, ଶୋଭାଯାତ୍ରା ଉପରେ ଦୁର୍ବୃତ୍ତମାନେ ଅତର୍କିତ ଭାବେ ପଥରମାଡ଼ କରିଥିଲେ। ଏହାର ଏକ ଘଣ୍ଟା ପରେ ସେଠାରେ ଉତ୍ତେଜନା ଦେଖାଯାଇଥିଲା। ପଥରମାଡ଼ ସହିତ ଖଣ୍ଡା ବୁଲିଥିଲା।

ଘଟଣାସ୍ଥଳରେ ପହଞ୍ଚିଥିବା ପୁଲିସକୁ ମଧ୍ୟ ଦୁର୍ବୃତ୍ତମାନେ ଛାଡ଼ି ନଥିଲେ, ଯେଉଁଥି ପାଇଁ ୬ ଜଣ ପୁଲିସ କର୍ମୀ ଆହତ ହୋଇଛନ୍ତି। ଏଥି ସହିତ ଭିଡ ଭିତରୁ ଅନ୍ୟ ଜନସାଧାରଣ ମଧ୍ୟ ଆହତ ହୋଇଥିବା ନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ସିସିଟିଭି ଫୁଟେଜ ଯାଞ୍ଚ କରୁଛି।

ପ୍ରାଥମିକ ତଦନ୍ତ ଆଧାରରେ ପୁଲିସ ୬ ଜଣ ସନ୍ଦିଗ୍ଧଙ୍କୁ ଚିହ୍ନଟ କରିଛି। ସନ୍ଦେହରେ ପୁଲିସ ୧୨ରୁ ଅଧିକ ଲୋକଙ୍କୁ ଅଟକ ରଖି ପଚରାଉଚରା କରୁଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ ଏକାଧିକ ପୁଲିସ ଟିମ୍ ଘଟଣାସ୍ଥଳରେ ଉଜାଗର ରହି ତଦନ୍ତ କରୁଛନ୍ତି। ଅଟକ ଥିବା ଲୋକଙ୍କୁ ଭିନ୍ନ ଏକ ସ୍ଥାନକୁ ନେଇ ପଚରାଉଚରା କରାଯାଉଛି।

ଜହାଙ୍ଗୀରପୁରୀରେ ହୋଇଥିବା ହିଂସା ନେଇ ପୁଲିସ ବିଭିନ୍ନ ଅପରାଧିକ ଧାରା ଅନୁସାରେ ମାମଲା ରୁଜୁ କରିଛି। ପୁଲିସ ଦଂଗା, ସରକାରୀ କାମରେ ବାଧା ପକାଇବା, ସମ୍ପତ୍ତି କ୍ଷତି କରିବା ସମେତ ଅନ୍ୟ ଧାରାରେ ମାମଲା ରୁଜୁ କରିଛି। ଆହତ ପୁଲିସ କର୍ମୀଙ୍କର ମଧ୍ୟ ବୟାନ ରେକର୍ଡ କରାଯିବ।