ଦିଲ୍ଲୀରେ କୃଷକଙ୍କ ଟ୍ରାକ୍ଟର ରାଲିକୁ ପୁଲିସ ଅନୁମତି

ନୂଆଦିଲ୍ଲୀ, ଏଜେନ୍ସି: କୃଷିଆଇନକୁ ବିରୋଧ କରି ଆନ୍ଦୋଳନରତ ଚାଷୀମାନେ ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀରେ ଟ୍ରାକ୍ଟର ରାଲି କରିବାକୁ ଯୋଜନା କରିଛନ୍ତି। ଏଥିପାଇଁ କୃଷକ ସଂଗଠନଗୁଡ଼ିକ ଦିଲ୍ଲୀ ପୁଲିସଠାରୁ ଅନୁମତି ମାଗିଥିଲେ। ଦିଲ୍ଲୀ ପୁଲିସ ପକ୍ଷରୁ ଟ୍ରାକ୍ଟର ରାଲିକୁ ଅନୁମତି ମିଳିଥିବା ଜଣାପଡ଼ିଛି।

ସୂଚନା ଯୋଗ୍ୟ, ଟ୍ରାକ୍ଟର ରାଲିକୁ ନେଇ ରବିବାର ଦିଲ୍ଲୀ ପୁଲିସ ଏବଂ କୃଷକ ସଂଗଠନର ପ୍ରତିନିଧିମାନଙ୍କ ମଧ୍ୟରେ ବୈଠକ ବସିଥିଲା। ବୈଠକରେ ରାଲି କେଉଁ ରୁଟ ଦେଇ ଯିବ ତାହା ସ୍ଥିର କରାଯାଇଥିଲା। ଉକ୍ତ ବୈଠକର ନିଷ୍ପତ୍ତି ଅନୁସାରେ, ଦିଲ୍ଲୀ ସହର ବାହାର ସୀମା ଦେଇ ରାଲି ଯିବ। ୟୁପି ଗେଟରୁ ରାଲି ଆରମ୍ଭ ହୋଇ ଆନନ୍ଦ ବିହାର ସୀମାପୁରୀ ଦେଇ ମୀରଟ ପର୍ଯ୍ୟନ୍ତ ଯିବ। ବୈଠକ ପରେ କୃଷକ ନେତା ଯୋଗେନ୍ଦ୍ର ଯାଦବ କହିଛନ୍ତି ଯେ, ଆମ ରୁଟ୍ ମ୍ୟାପକୁ ପୁଲିସ ଲିଖିତ ଅନୁମତି ପ୍ରଦାନ କରିଛି। ୫ଟି ରୁଟରେ ୨୬ ତାରିଖରେ ଟ୍ରାକ୍ଟର ରାଲି କରାଯିବ। ଅନ୍ୟପଟେ ଦିଲ୍ଲୀ ପୁଲିସ କମିଶନର ସମସ୍ତ ପୁଲିସ କର୍ମଚାରୀଙ୍କୁ ସତର୍କ ରହିବାକୁ ନିର୍ଦେଶ ଜାରି କରିଛନ୍ତି।