ଅଙ୍ଗନୱାଡି କର୍ମୀ ଓ ସହାୟିକାଙ୍କୁ ସରକାର ଦେବେ ସ୍ମାର୍ଟ ଫୋନ୍

ଭୁବନେଶ୍ୱର,ଏନ୍ଏନ୍ଏସ୍: ଅଙ୍ଗନୱାଡି କର୍ମୀ ଓ ସହାୟିକାଙ୍କୁ ସରକାରଙ୍କ ତରଫରୁ ସ୍ମାର୍ଟ ଫୋନ୍ ଦିଆଯିବ। ବିଭିନ୍ନ ଯୋଜନାର କାର୍ଯ୍ୟ କିଭଳି ଚାଲିଛି ତାହା ଜଣାଇବା ପାଇଁ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାମାନେ ଉପରିସ୍ଥ ଅଧିକାରୀଙ୍କୁ ଫଟୋ ଉଠାଇ ପଠାଇବାକୁ ପଡ଼ୁଛି। ସ୍ୱଳ୍ପ ଦରମାରେ ସ୍ମାର୍ଟ ଫୋନ କିଣିବା ସେମାନଙ୍କ ପକ୍ଷେ କଷ୍ଟ ହେଉଛି। ନପଠାଇଲେ ଉପରିସ୍ଥ ଅଧିକାରୀମାନେ ବିରକ୍ତି ପ୍ରକାଶ କରୁଛନ୍ତି। ତେଣୁ ସମସ୍ତ ଅଙ୍ଗନୱାଡି କର୍ମୀ ଓ ସହାୟିକାମାନଙ୍କୁ ସରକାରଙ୍କ ତରଫରୁ ମୋବାଇଲ ଫୋନ ବଣ୍ଟନ କରାଯିବ ବୋଲି ରାଜ୍ୟ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଘୋଷଣା କରିଛନ୍ତି। ବ୍ରହ୍ମପୁର ଟାଉନହଲଠାରେ ରବିବାର ଅନୁଷ୍ଠିତ ଓଡିଶା ଅଙ୍ଗନାୱାଡି କର୍ମୀ ଓ ସହାୟିକା ସାମ୍ମୁଖ୍ୟର ଗଞ୍ଜାମ ଜିଲ୍ଲା ସମ୍ମିଳନୀରେ ମନ୍ତ୍ରୀ ଟୁକୁନି ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଘୋଷଣା କରିଛନ୍ତି।