ବିହନ ଅଭାବ ନେଇ କୃଷି ମନ୍ତ୍ରୀଙ୍କୁ ଘେରିଲେ ବିରୋଧୀ

ଭୁବନେଶ୍ବର,ଏନ୍ଏନ୍ଏସ୍: ରାଜ୍ୟରେ ବିହନ ଅଭାବ ନେଇ ବିଧାନସଭାରେ ଉଦବେଗ ପ୍ରକାଶ । ବିହନ ଅଭାବ ଓ ଏହାର ପରିଚଳନା ନେଇ କୃଷି ମନ୍ତ୍ରୀଙ୍କୁ ଘେରିଛନ୍ତି ବିରୋଧୀ ବିଧାୟକ । ପୁରଣା ବିହନ ଯୋଗାଇ ନଦେବା ଓ ନୂଆ ବିହନ ଗଜା ନହେବା ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି କଂଗ୍ରେସ ଓ ବିଜେପି ବିଧାୟକ । ତେବେ ଅଭିଯୋଗ ଆସିଲେ ସରକାର ତୁରନ୍ତ ଫିଲଡ ଭିଜିଟ କରି ସରକାର ପଦକ୍ଷେପ ନେବେ ବୋଲି କହିଛନ୍ତି କୃଷି ମନ୍ତ୍ରୀ ।

ବିହନ ନେଇ ପ୍ରଶ୍ନ କାଳରେ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ୧୦୦୯ ପୁରୁଣା ବିହନ ନମିଳିବା ନେଇ ପ୍ରଶ୍ନ ଉଠାଇଛନ୍ତି । ସରକାର ଯୋଗାଉଥିବା ବିହନ ଗଜା ହେଉନଥିବା ସେ ଅଭିଯୋଗ ଆଣିଛନ୍ତି । ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି ଯେ, ଯାହା ବିହନ ଆସୁଛି ତାହା ଶାସକ ଦଳର ନେତାଙ୍କ ପାଖ ଲୋକ କଳାବଜାରୀ କରୁଛନ୍ତି । ସାଧାରଣ ଚାଷୀଙ୍କ ପାଖକୁ ବିହନ ପହଞ୍ଚିନାହିଁ । ବିହନ ଉତ୍ପାଦନ ନେଇ ବିଭାଗ ପୁରୁଣା ଢାଞ୍ଚା ବ୍ୟବହାର କରୁଛି । ନୂତନ ଜ୍ଞାନ କୌଶଳ ବ୍ୟବହାର ହେଉନାହିଁ । ନିର୍ଦ୍ଦିଷ୍ଟ ସମୟରେ ବିହନ ପହଞ୍ଚୁ ନଥିବାରୁ ଚାଷୀ ହଇରାଣରେ ପଡୁଥିବା ସେ ଅଭିଯୋଗ କରିଛନ୍ତି ।

କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ଯେ, ୨୦୨୨-୨୩ରେ ୩୩ ଲକ୍ଷ ୧୯ ହଜାର ୩୯୦ ହେକ୍ଟର ଜମିରେ ଧାନ ଚାଷ କରିବାକୁ ଲକ୍ଷ୍ୟ ରଖିଛନ୍ତି । ସେଥିପାଇଁ ୧୩ ଲକ୍ଷ ୨୭ ହାଜର ୭୬୦ କୁଇଣ୍ଟାଲ ବିହନ ଆବଶ୍ୟକ ରହିଛି । ସେଥିରୁ ୪ ଲକ୍ଷ ୭୫ ହଜାର ୨୪୪ କୁଇଣ୍ଟାଲ ବିହନ ବିଭିନ୍ନ ରାଜ୍ୟରୁ ଆଣି ଚାଷୀଙ୍କୁ ଯୋଗାଇଛନ୍ତି । ରାଜ୍ୟରେ ବିହନ ଉତ୍ପାଦନ ପାଇଁ ୫୨୦୦ ଚାଷୀ ନିୟୋଜିତ ଅଛନ୍ତି । ଭାରତ ସରକାରଙ୍କ ସିଡ୍ ନିୟମ ଅନୁସାରେ ୧୦ ବର୍ଷରେ ଥରେ ବିହନ ପରିବର୍ତ୍ତନ ହୋଇଥାଏ ।

ସେଥିପାଇଁ ପୁରୁଣା ବିହନ ସରକାରଙ୍କ ପାଖରେ ନାହିଁ । ବର୍ତ୍ତମାନ ସୁଦ୍ଧା ୭୫ ଟି ନୂଆ ବିହନ ସରକାର ଯୋଗାଉଛନ୍ତି । ବର୍ତ୍ତମାନ ୨୨ ଟି ବେସରକାରୀ ସଂସ୍ଥା ବିହନ ଯୋଗାଉ ଥିବାବେଳେ ୯୦ ଟି ବେସରକାରୀ ସଂସ୍ଥା ରାଜ୍ୟ ବିହନ ନିଗମ ସହ ଚୁକ୍ତି କରିଛନ୍ତି । ଗଜା ମରୁଡି ନେଇ ଅଭିଯୋଗ ଆସିଲେ ସରକାର ତୁରନ୍ତ ଫିଲଡ ଭିଜିଟ(କ୍ଷେତ୍ର ପରିଦର୍ଶନ) କରି ପଦକ୍ଷେପ ନେବେ ବୋଲି କହିଛନ୍ତି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।