ଆଇପିଏଲ୍‌: ପଂଜାବକୁ ୯ ୱିକେଟ୍‌ରେ ପରାସ୍ତ କଲା ଦିଲ୍ଲୀ, ୱାର୍ଣ୍ଣରଙ୍କ ଅପରାଜିତ ଅର୍ଦ୍ଧଶତକ

ମୁମ୍ବାଇ,ଏଜେନ୍ସି: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌)-୨୦୨୨ର ୩୩ତମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସର ସହଜ ବିଜୟ ହୋଇଛି । ସ୍ଥାନୀୟ ବ୍ରାବୋର୍ଣ୍ଣ ଷ୍ଟାଡିୟମ୍‌ରେ ବୁଧବାର ପଂଜାବ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ସମସ୍ତ ୱିକେଟ୍ ହରାଇ ୧୧୫ ରନ୍ କରିଥିଲା । ଜବାବରେ ଦିଲ୍ଲୀ କ୍ୟାପିଟାଲ୍ସ ୧୦.୩ ଓଭରରେ ମାତ୍ର ଗୋଟିଏ ୱିକେଟ୍ ହରାଇ ୧୧୯ ରନ୍ କରି ସହ ମ୍ୟାଚ ଜିତିଥିଲା ।

ଦିଲ୍ଲୀ ପାଇଁ ଓପନର ଡାଭିଡ ୱାର୍ଣ୍ଣର ଅପରାଜିତ ୬୦ ରନ୍ କରିଥିଲେ । ସେ ୩୦ଟି ବଲ ଖେଳି ୧୦ଟି ଚୌକା ଓ ଗୋଟିଏ ଛକା ବଳରେ ଏହି ସ୍କୋର କରିଥିଲେ । ପୃଥ୍ୱୀ ଶ’ଙ୍କ ବ୍ୟାଟ୍‌ରୁ ୪୦ ରନ୍ ମିଳିଥିଲା । ସେ ୭ଟି ଚୌକା ଓ ଗୋଟିଏ ଛକା ମାରିଥିଲେ । ଉଭୟ ବ୍ୟାଟର ପ୍ରଥମ ୱକେଟ୍ ପାଇଁ ୮୩ ରନ୍‌ର ଭାଗିଦାରୀ ହୋଇପାରିଥିଲେ । ସରଫରାଜ ଖାନ୍ ଅପରାଜିତ ୧୨ ରନ୍ କରିଥିଲେ ।

ପ୍ରଥମେ ଦିଲ୍ଲୀ କ୍ୟାପିଟାଲ୍ସର ବୋଲର ଭଲ ପ୍ରଦର୍ଶନ କରିଥିଲେ, ଯେଉଁଥି ପାଇଁ ପଂଜାବ ବଡ଼ ସ୍କୋର କରିପାରି ନଥିଲା । ଅକ୍ଷର ପଟେଲ ୪ ଓଭର ବୋଲିଂ କରି ମାତ୍ର ୧୦ ରନ୍ ଖର୍ଚ୍ଚ କରିଥିଲେ । ସେ ୨ଟି ୱିକେଟ ନେଇଥିଲେ । ଖଲୀଲ ଅହମଦ, ଲଳିତ ଯାଦବ ଓ କୁଲଦୀପ ଯାଦବ ମଧ୍ୟ ୨-୨ଟି ୱିକେଟ୍ ନେଇଥିଲେ । ପଂଜାବର ମଧ୍ୟକ୍ରମର ଖେଳାଳି ଜିତେଶ ଶର୍ମା ବ୍ୟକ୍ତିଗତ ଭାବେ ସର୍ବାଧିକ ୩୨ ରନ୍ କରିଥିଲେ । ଏତଦ୍ ବ୍ୟତୀତ ଅଧିନାୟକ ମୟଙ୍କ ଅଗ୍ରୱାଲ ୨୪ ରନ୍ ଓ ଶାହରୁଖ ଖାନ, ରାହୁଲ ଚହର ୧୨-୧୨ ରନ୍ ଯୋଗଦାନ ଦେଇଥିଲେ ।