ପାଗ ଖରାପ ଯୋଗୁଁ ଉପରାଷ୍ଟ୍ରପତିଙ୍କ ଗସ୍ତରେ ବିଳମ୍ବ

ବଲାଙ୍ଗିର,ଏନ୍ଏନ୍ଏସ୍: କୁହୁଡ଼ି ଯୋଗୁଁ ଉପରାଷ୍ଟ୍ରପତି ଏମ୍‍. ଭେଙ୍କେୟା ନାଇଡ଼ୁଙ୍କ ଗସ୍ତରେ ବିଳମ୍ବ ହୋଇଛି। ଖରାପ ପାଗ ଯୋଗୁଁ ସେ ରାୟପୁରରେ ଅଟକି ରହିଛନ୍ତି ବୋଲି ଜଣାପଡ଼ିଛି। ଆଜି ଉପରାଷ୍ଟ୍ରପତି ବଲାଙ୍ଗିରର ବଟଲିଂ ପ୍ଲାଣ୍ଟର ଲୋକାର୍ପଣ କରିବା ସହ ରାଜେନ୍ଦ୍ର କଲେଜ ପ୍ଲାଟିନମ ଜୁବୁଲି ସମାରୋହରେ ଦିନ ୯ଟା ୧୫ରେ ପହଞ୍ଚିବାକୁ ଥିବାବେଳେ ପାଗ ଖରାପ ଥିବାରୁ ଏଥିରେ ବିଳମ୍ବ ଦେଖାଦେଇଛି। ବଲାଙ୍ଗିର ଉପକଣ୍ଠ ବରକାନୀରେ ଏଲପିଜି ବଟଲିଂ ପ୍ଲାଣ୍ଟକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ କରିବେ । ପଶ୍ଚିମ ଓଡିଶାରେ ବଢୁଥିବା ଏଲପିଜି ଚାହିଦାକୁ ନଜରରେ ରଖି ବରକାନୀରେ ଏଲପିଜି ବଟଲିଂ ପ୍ଲାଣ୍ଟ ୧୪ଟି ଜିଲ୍ଲାର ଆବଶ୍ୟକତାକୁ ପୂରଣ କରିବ । ୨୦୧୮ ମସିହାରେ ୧୦୩ କୋଟିର ବଜେଟରେ ଏହି ପ୍ଲାଣ୍ଟର ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଥିଲା ।
ପରେ ସେଠାରୁ ୧୦ଟା ୧୫ରେ ବାହାରି ପଶ୍ଚିମ ଓଡିଶାର ସର୍ବ ପୁରାତନ କଲେଜ ରାଜେନ୍ଦ୍ର କଲେଜର ପ୍ଲାଟିନମ୍ ଜୁବଲୀ ଉଦଘାଟନୀ ସମାରୋହରେ ଯୋଗଦେବାର କାର୍ଯ୍ୟକ୍ରମ ଥିଲା । ରାଜେନ୍ଦ୍ର କଲେଜକୁ ୭୫ ବର୍ଷ ପୂରଣ ହେବା ଅବସରରେ ଏହି ଉତ୍ସବର ଆୟୋଜନ ହେଉଛି । ଏଥିପାଇଁ ବଲାଙ୍ଗୀର ଗାନ୍ଧି ଷ୍ଟାଡିୟମ ଏବଂ ବରକାନୀ ଉଭୟ ସ୍ଥାନରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସମସ୍ତ ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି । ତ୍ରିସ୍ତରୀୟ ସୁରକ୍ଷାରେ ୩୦ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି ।