ଏଲଏସିରେ ଚୀନର ଗତିବିଧି ନେଇ ଆଜି ରାଜ୍ୟସଭାରେ ବିବୃତ୍ତି ରଖିବେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ,ଏଜେନ୍ସି: ପୂର୍ବ ଲଦାଖରେ ଭାରତୀୟ ସେନାକୁ ଟାର୍ଗେଟ କରୁଛି ଚୀନ। ଭାରତୀୟ ସେନା ଚୀନର ଏଭଳି କାମକୁ ଜବାବ ମଧ୍ୟ ଦେଉଛି। ଭାରତୀ-ଚୀନ ସୀମା ବିବାଦକୁ ନେଇ ବିରୋଧୀ ଦଳ ମୋଦୀ ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଏଲଏସିରେ କ’ଣ ଚାଲିଛି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ରାଜ୍ୟସଭାରେ ଅପରାହ୍ଣ ୧୨ଟାରେ ବୟାନ ଦେବେ। ଏହା ପୂର୍ବରୁ ଲୋକସଭାରେ ଏହି ପ୍ରସଙ୍ଗରେ ସେ ନିଜର ବୟାନ ରଖିସାରିଛନ୍ତି। ସେହିପରି ଆବଶ୍ୟକ ହେଲେ ପ୍ରତିରକ୍ଷା ମନ୍ତ୍ରୀ ବିରୋଧୀ ଦଳର ନେତାଙ୍କୁ ସ୍ପଷ୍ଟୀକରଣ ମଧ୍ୟ ଦେଇପାରନ୍ତି ବୋଲି ଜଣାପଡ଼ିଛି।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଙ୍ଗଳବାର ଲୋକସଭାରେ ଚୀନର ଗତିବିଧି ସମ୍ପର୍କରେ ବୟାନ ରଖିଥିଲେ। ସେ ଲୋକସଭାରେ ପୂରା ଘଟଣାକ୍ରମକୁ ବୁଝାଇଥିଲେ। ସେ କହିଥିଲେ ଯେ, ଏପ୍ରିଲ ମାସରୁ ପୂର୍ବ ଲଦାଖ ସୀମାରେ ଚୀନ ସେନା ମୁତୟନ ଅଛନ୍ତି। ଦିନକୁ ଦିନ ଏହା ଆହୁରି ବୃଦ୍ଧି ପାଇବାରେ ଲାଗିଛି। ମେ’ ମାସ ଆରମ୍ଭରୁ ଚୀନ ଗଲୱାନ ଘାଟିରେ ଆମର ସୈନିକଙ୍କୁ ପାଟ୍ରୋଲିଂ ସମୟରେ ଅଟକାଇଥିଲା। ଫଳରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା।